ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ | News Room Odisha

ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ

ଭୁବନେଶ୍ୱର – ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢିଛି । ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ଅନେକ ସହରର ତାପମାତ୍ରା । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ପବନ ପ୍ରବେଶ କରୁଛି । ଏହାର ପ୍ରଭାବରେ ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କମିଛି ପାରଦ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୧୬ ତାରିଖ ପର୍ଯ୍ୟନ୍ତ ଶୁଖିଲା ପାଗ ରହିବ । ଜି.ଉଦୟଗିରି, କୋରାପୁଟ, ସେମିଳିଗୁଡା, ଫୁଲବାଣୀ, ଦାରିଙ୍ଗବାଡି, କିରେଇ, କେନ୍ଦୁଝରରେ ଅଧିକ ଶୀତ ଅନୁଭୂତ ହେଉଛି । ଟୁଇନ୍ ସିଟି କଟକ ଓ ଭୁବନେଶ୍ବରରେ ୨୦ ଡିଗ୍ରୀ ତଳେ ରହିଛି ରାତି ତାପମାତ୍ରା । ୧୪ ତାରିଖ ପରେ ଶୀତ ଆହୁରି ବଢିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଦୀପାବଳିରେ ପାଗ ଭଲ ରହିବ ।