ମିଚେଲ୍ ମାର୍ଶଙ୍କ ବିସ୍ଫୋରକ ଶତକ, ବିଜୟ ସହ ଲିଗ୍ ଅଭିଯାନ ଶେଷ କଲା ଅଷ୍ଟ୍ରେଲିଆ | News Room Odisha

ମିଚେଲ୍ ମାର୍ଶଙ୍କ ବିସ୍ଫୋରକ ଶତକ, ବିଜୟ ସହ ଲିଗ୍ ଅଭିଯାନ ଶେଷ କଲା ଅଷ୍ଟ୍ରେଲିଆ

ପୁଣେ: ମିଚେଲ ମାର୍ଶଙ୍କ ବିସ୍ଫୋରକ ଶତକ‌ ବଳରେ ଅଷ୍ଟ୍ରେଲିଆ ଏହାର ଶେଷ ଲିଗ୍ ମ୍ୟାଚରେ ବାଂଲାଦେଶକୁ ୮ ୱିକେଟରେ ହରାଇଛି । ମିଚେଲ ମାର୍ଶ ମାତ୍ର ୧୩୨ ବଲରେ ଅପରାଜିତ ୧୭୭ ରନ୍ କରିଥିବା ବେଳେ ବାଂଲାଦେଶ ପ୍ରଦତ୍ତ ୩୦୭ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୪୪.୨ ଓଭରରେ କେବଳ ୨ ୱିକେଟ୍ ହରାଇ ହାସଲ କରିନେଇଥିଲା। ମାର୍ଶ ଏହି ବୃହତ ଶତକୀୟ ଇନିଂସରେ ୧୭ଟି ଚୌକା ଓ ୯ଟି ଛକା ମାରିଥିଲେ। ଅଷ୍ଟ୍ରେଲିଆର ଏହା ଲଗାତାର ସପ୍ତମ ବିଜୟ । ଏହି ବଡ଼ ବିଜୟ ସହ ସେମିଫାଇନାଲ ପାଇଁ ନିଜକୁ ପ୍ରସ୍ତୁତ କରିଛି ଅଷ୍ଟ୍ରେଲିଆ।

ମାର୍ଶଙ୍କ ବ୍ୟତୀତ ଡେଭିଡ୍ ୱାର୍ଣ୍ଣର ୬୧ ବଲରେ ୫୩ ରନର ଇନିଂସ ଖେଳିଥିଲେ। ସେ ନିଜ ଇନିଂସରେ ୬ଟି ଚୌକା ମାରିଥିଲେ। ଷ୍ଟିଭ ସ୍ମିଥ୍ ୬୧ ବଲରେ ୫୩ ରନ୍ କରିଥିଲେ | ଏହି ପରାଜୟ ସହିତ ବାଂଲାଦେଶର ବିଶ୍ବକପ୍ ଅଭିଯାନ ଶେଷ ହୋଇଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୫୦ ଓଭରରେ ୮ ୱିକେଟ୍ ହରାଇ ୩୦୬ ରନ୍ କରିଥିଲା। ବାଂଲାଦେଶ ପାଇଁ ତୈହିଦ୍ ହୃଦୟ ୭୯ ବଲରେ ସର୍ବାଧିକ ୭୪ ରନ୍ କରିଥିଲେ। ହୃଦୟଙ୍କ ବ୍ୟତୀତ ତାନଜିଦ୍ ହସନ୍, ଲିଟନ୍ ଦାସ, ନାଜମୁଲ ହୁସେନ୍ ଶାନ୍ତୋ, ମହମୁଦୁଲ୍ଲା ଏବଂ ମେହେଦି ହସନ ମିରାଜ ମଧ୍ୟ ଉପଯୋଗୀ ଇନିଂସ ଖେଳିଥିଲେ। ଫଳରେ ବାଂଲାଦେଶ ୩୦୦ ରନ୍ ଅତିକ୍ରମ କରିଥିଲା। ଅଷ୍ଟ୍ରେଲିଆ ପାଇଁ ସନ୍ ଆବଟ୍ ଓ ଆଡାମ ଜାମ୍ପା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।