ବିଦେଶ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱର ଏମସର 'ଟ୍ରାଭେଲ ହେଲଥ କ୍ଲିନିକ'   | News Room Odisha

ବିଦେଶ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱର ଏମସର ‘ଟ୍ରାଭେଲ ହେଲଥ କ୍ଲିନିକ’  

ଭୁବନେଶ୍ୱର – ବିଦେଶ ଯାତ୍ରା କରୁ ଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଗୋଟିଏ ସ୍ଥାନରେ ପୂର୍ଣ୍ଣାଙ୍ଗ ସୂଚନା ଉପଲବ୍ଧ କରିବା ପାଇଁ ଭୁବନେଶ୍ୱର ଏମ୍ସ ପକ୍ଷରୁ ରାଜ୍ୟର ପ୍ରଥମ “ଟ୍ରାଭେଲ୍ ହେଲଥ୍ କ୍ଲିନିକ୍” ର ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ଵର ଏମ୍ସ କମ୍ୟୁନିଟି ମେଡିସିନ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଟ୍ରାଭେଲ୍ ହେଲଥ୍ କ୍ଲିନିକ୍ ସପ୍ତାହର ପ୍ରତି ସୋମବାର ଏବଂ ଗୁରୁବାର ଅପରାହ୍ନ ଦୁଇରୁ ଚାରିଟା ପର୍ଯ୍ୟନ୍ତ କାମ କରିବ। ବାହାର ଦେଶରେ ଥିବା ବିଭିନ୍ନ ସଂକ୍ରାମକ ରୋଗ ସହିତ ଅନ୍ୟାନ୍ୟ ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ନିମନ୍ତେ ଏହି ବ୍ୟବସ୍ଥାର ସହଯୋଗ ନେବାକୁ ଭୁବନେଶ୍ବର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ଵାସ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ଜୀବିକା ଅନ୍ୱେଷଣରେ ବାହାର ଦେଶକୁ ଯାଉଥିବା ବ୍ୟକ୍ତିଙ୍କ ପାଇଁ ଏହି ଟ୍ରାଭେଲ ହେଲଥ କ୍ଲିନିକ୍ ବେଶ ସହାୟକ ହେବବୋଲି ଡକ୍ଟର ବିଶ୍ଵାସ ଆଶା ପ୍ରକାଶ କରିଛନ୍ତି।

ଟ୍ରାଭେଲ ହେଲଥ କ୍ଳଇନଇକର ଉଦ୍‌ଘାଟନୀ ସମାରୋହରେ ଏମ୍ସ ଭୁବନେଶ୍ଵର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡକ୍ଟର ଆଶୁତୋଷ ବିଶ୍ଵାସଙ୍କ ସମେତ ମେଡିକାଲ ଅଧୀକ୍ଷକ ଡକ୍ଟର ଦିଲୀପ କୁମାର ପରିଡ଼ା, ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ବିଜୟ କୁମାର ପାଣିଗ୍ରାହି, ଭାରତ ସରକାରଙ୍କ ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶିକା ଡକ୍ଟର ସୁଚିତ୍ରା ସାସମଲ, ରାଜ୍ୟ ଟୀକାକରଣ ଅଧିକାରୀ ଡକ୍ଟର ତାପସ ପାତ୍ର, ଭୁବନେଶ୍ଵର ବିମାନବନ୍ଦର ଜନସ୍ୱାସ୍ଥ୍ୟ ଅଧିକାରୀ ବିଶ୍ୱରଂଜନ ଦାଶ, କମ୍ୟୁନିଟି ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ମୁଖ୍ୟ ସୋନୁ ସୁବା ପ୍ରମୁଖ ଉପସ୍ଥିତ ଥିଲେ।