୮୪.୭୦ କୋଟିରେ ହରିପୁର ମୁହାଣରେ ହେବ ପଥର ବନ୍ଧ, ଲାଭବାନ ହେବେ ମତ୍ସ୍ୟଜୀବୀ | News Room Odisha

୮୪.୭୦ କୋଟିରେ ହରିପୁର ମୁହାଣରେ ହେବ ପଥର ବନ୍ଧ, ଲାଭବାନ ହେବେ ମତ୍ସ୍ୟଜୀବୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଅଞ୍ଚଳର ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ନିମନ୍ତେ ଖୁସି ଖବର। ନିକଟସ୍ଥ ହରିପୁର ବେଳାଭୂମି ମୁହାଣ ଯେଉଁଠି ବାହାନା ନାଳ ବଙ୍ଗୋପସାଗର ସହ ମିଶିଛି ସେଠାରେ ୮୪ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚରେ ଏକ ପଥର ବନ୍ଧ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ପଥର ବନ୍ଧ ସହ ସ୍ଥାୟୀ ମୁହାଣ ହେବା ଦ୍ଵାରା ମତ୍ସ୍ୟଜୀବୀଙ୍କ ଡଙ୍ଗା ସମୁଦ୍ର ଭିତରକୁ ନେବା ଓ ସୁରକ୍ଷିତ ଭାବେ କୂଳ ତଥା ଜେଟିକୁ ଆଣିବା ସୁବିଧାଜନକ ହେବ। ପଥର ବନ୍ଧ ହେଲେ ମୁହାଣରେ ବାଲି ଜମା ହୋଇ ଡଙ୍ଗା ଯାଆସ ପଥ ବନ୍ଦ ହେବା ସମସ୍ୟା ରହିବ ନାହିଁ।

ହରିପୁର ମୁହାଣକୁ ସଫା କରି ଉଭୟ ପାର୍ଶ୍ଵରେ ପଥର ବନ୍ଧ ନିର୍ମାଣ କରାଯିବ। ବ୍ରହ୍ମପୁର ଡ୍ରେନେଜ୍‌ ଡିଭିଜନ୍‌ ଏହି କାର୍ଯ୍ୟ କରିବ। ମାଡ୍ରାସ୍‌ ଆଇଆଇଟି ବିଶେଷଜ୍ଞ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହା ମୁତାବକ ୭ ଗୋଟି ପଥର ବନ୍ଧ କରାଯିବ। ଗୋଟିଏ ପଟେ ଡଙ୍ଗା ଯାଆସ କରିବ ଓ ଅନ୍ୟ ବାକି ପଟେ ବାହାନା ନାଳର ଜଳ, ସମୁଦ୍ରର ବ୍ୟାକ୍‌ ଓ୍ବାଟର୍‌ ନିଷ୍କାସିତ ହେବ। ଏହାକୁ ଅନୁମୋଦନ କରିଛି ବିଭାଗୀୟ ବୈଷୟିକ ଉପଦେଷ୍ଟା କମିଟି। ଉପକୂଳ ନିୟାମକ ଜୋନ୍‌ (ସିଆର୍‌ଜେଡ୍‌) ବିଶେଷଜ୍ଞ ଦଳ ଅଞ୍ଚଳ ପରିଦର୍ଶନ କରି ଏଠାରେ ପଥର ବନ୍ଧ ହେବାର ପ୍ରଭାବ ନେଇ ବିଶ୍ଲେଷଣ ରିପୋର୍ଟ ସରକାରଙ୍କୁ ଶୀଘ୍ର ପ୍ରଦାନ କରିବେ। ପ୍ରଶାସନିକ ମଞ୍ଜୁରି ଓ ସିଆର୍‌ଜେଡ୍‌ ଅନୁମୋଦନ ମିଳିବା ପରେ ଟେଣ୍ଡର୍‌ ଡକାଯାଇ କାମ ଆରମ୍ଭ କରାଯିବ ବୋଲି ଡ୍ରେନେଜ୍‌ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ହରିପୁର ମୁହାଣ ଦେଇ ଗୋପାଳପୁର ସମେତ ହରିପୁର, ନୂଆ ବକ୍ସିପଲ୍ଲୀ, ଭେଙ୍କଟରାୟପୁର, ପୁରୁଣା ବକ୍ସିପଲ୍ଲୀ, ଦିଗିପୁର, ନୂଆ ଗୋଳାବନ୍ଧ ଗ୍ରାମର ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯାଇଥାନ୍ତି। ମାତ୍ର ଏହି ମୁହାଣ ବାରମ୍ବାର ପୋତି ହୋଇ ଯାଉଥିବାରୁ ମତ୍ସ୍ୟଜୀବୀମାନେ ସମସ୍ୟା ଭୋଗୁଛନ୍ତି। ମତ୍ସ୍ୟଜୀବୀ ସମୁଦ୍ରତଟ ବାଲୁକା ଶଯ୍ୟାରେ ଡଙ୍ଗା ରଖୁଛନ୍ତି ଯାହା ବିଶେଷ ସୁବିଧାଜନକ ନୁହେଁ। ସେହିପରି ବେଳାଭୂମିରୁ ଜୁଆର ଓ ଉଚ୍ଚ ଲହଡ଼ି ଅତିକ୍ରମ କରି ମତ୍ସ୍ୟଜୀବୀଙ୍କ ଡଙ୍ଗା ସମୁଦ୍ର ଭିତରକୁ ଗଲାବେଳେ ଦୁର୍ଘଟଣା ଘଟୁଥିବା, ଡଙ୍ଗା ପାଣିରେ ଓଲଟି ପଡୁଥିବା ନଜିର ମଧ୍ୟ ରହିଛି। ହରିପୁର ମୁହାଣରେ ପଥର ବନ୍ଧ କଲେ ସୁରୁଖୁରୁରେ ଡଙ୍ଗା ବାହାନା ନାଳର ଜଳସୁଅ ଉପରେ ସମୁଦ୍ରକୁ ଯାଇପାରିବ।