କାଲିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ, ଏଏସଆଇକୁ ମିଳିଲା ଏନଓସି | News Room Odisha

କାଲିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ, ଏଏସଆଇକୁ ମିଳିଲା ଏନଓସି

ପୁରୀ – ଆସନ୍ତାକାଲିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ । ମରାମତି କାମ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା – ଏଏସଆଇକୁ ଏନଓସି ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସକାଳ ୬ରୁ ରାତି ୧୦ଟା ଯାଏଁ ମରାମତି କାମ ଚାଲିବ । ୧୨୦ ଦିନ ଭିତରେ କାମ ସାରିବା ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ଗରୁଡ଼ସ୍ତମ୍ଭଠୁ ମରାମତି କାମ ଆରମ୍ଭ କରାଯିବ । ମରାମତି କାମ ବେଳେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବ। ମରାମତି କାମ ବେଳେ ନୀତିକାନ୍ତିରେ ଯେମିତି ବ୍ୟାଘାତ ନହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ । ଯେତେବେଳେ ନୀତିକାନ୍ତି ନଥିବ, ସେହି ସମୟରେ କାମ କରାଯିବ। କାର୍ତ୍ତିକ ମାସ ସରିଲେ, ପୂର୍ଣ୍ଣ ସମୟ ଦେଇ କାମ କରାଯିବ ବୋଲି ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି।

ଆସନ୍ତାକାଲିଠାରୁ ମହାପ୍ରଭୁଙ୍କ ରତ୍ନ ପଲଙ୍କ ମରାମତି କାମ ମଧ୍ୟ ଆରମ୍ଭ ହେବ। ୩ଟି ପଲଙ୍କ ନିର୍ମାଣ ପାଇଁ ବର୍ମା ଟିକ୍‌ କାଠ ବ୍ୟବହାର ହେବ। ଓଡ଼ିଆ ନବବର୍ଷ ପଣା ସଂକ୍ରାନ୍ତି ପୂର୍ବରୁ ୩ଟି ପଲଙ୍କ ନିର୍ମାଣ କାର୍ଯ୍ୟ ସରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।