ହିଞ୍ଜିଳିକାଟୁ: ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ  | News Room Odisha

ହିଞ୍ଜିଳିକାଟୁ: ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ 

ଛତ୍ରପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଇଲାକାରେ ରବିବାର ଅଘଟଣ ଘଟିଛି। ନରେନ୍ଦ୍ରପୁର ପଞ୍ଚାୟତର କୀର୍ତ୍ତିପୁର ଗାଁରେ ପାତ୍ର‌ ବନ୍ଧ ପୋଖରୀ ପାଣିରେ ବୁଡ଼ି ଦୁଇ ନାବାଳିକା ପ୍ରାଣ ହରାଇଛନ୍ତି। ମୃତକ ଦ୍ବୟ ହେଲେ ସେହି ଗ୍ରାମର ଅବକାଶ ରାଉତଙ୍କ ଦୁଇ ଝିଅ ତଥା ବଡ଼ ଭଉଣୀ ସନ୍ଧ୍ୟାରାଣୀ ଓ ସାନ ଝିଅ ରୋଶନୀ। ଦୁହେଁ ଅଜାଙ୍କ ସହ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଅଜା ଦୁହିଁଙ୍କୁ ଗାଧୋଇଦେବା ପରେ ପୋଖରୀ ତୁଠରେ ଛାଡି ଘରକୁ ଚାଲିଯିବାକୁ କହିଥିଲେ। ସେ ଲୁଗା ଧୋଉଥିବା ବେଳେ ଦୁଇ ନାବାଳିକା ଭଉଣୀ କୌତୁହଳବଶତଃ ଅନ୍ୟ ପଟେ ପୋଖରୀ ପାଣି ଭିତରକୁ ଚାଲି ଗଭୀର ଜଳରେ ଖସି ବୁଡ଼ି ଯାଇଥିଲେ। ପରେ ପରିବାର ଲୋକ ଖୋଜାଖୋଜି କରି ପୋଖରୀ ପାଣିରୁ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରିଥିଲେ। ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି। ଉଭୟ ମୃତଦେହକୁ ବ୍ୟବଚ୍ଛେଦ ସକାଶେ ପଠାଇବାକୁ ବ୍ୟବସ୍ଥା କରାଯାଉଛି।