ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଡିଏମଆରସି - ବିଏମଆରସି ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ | News Room Odisha

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଡିଏମଆରସି – ବିଏମଆରସି ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ

ଭୁବନେଶ୍ୱର – ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ- ଡିଏମଆରସି ସହ ବୁଝାମଣାପତ୍ର ସ୍ବାକ୍ଷର କରିଛି ଭୁବନେଶ୍ୱର ମେଟ୍ରୋ ରେଳ ନିଗମ – ବିଏମଆରସି । ଭୁବନେଶ୍ୱର ବିମାନବନ୍ଦରଠାରୁ କଟକର ତ୍ରିଶୂଳିଆ ପର୍ଯ୍ୟନ୍ତ ହେବାକୁ ଥିବା ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପାଇଁ ଡିଏମଆରସି ‘ଟର୍ଣ୍ଣ କୀ’ ପରାମର୍ଶଦାତା ଭାବେ କାର୍ଯ୍ୟ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭାସୀ ଉପସ୍ଥିତିରେ ଡିଏମଆରସି ଓ ବିଏମଆରସି ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଚାରିବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ବୁଝାମଣାପତ୍ର ସ୍ବାକ୍ଷର ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏହା ଓଡ଼ିଶାର ପରିବହନ ଇତିହାସରେ ଏକ ନୂଆ ଯୁଗର ସୂତ୍ରପାତ କରିଛି । ରାଜଧାନୀ ଅଞ୍ଚଳରେ ପରିବହନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଓଡ଼ିଶା ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୧୯ ନିର୍ବାଚନ ଇସ୍ତାହାର ଅନୁସାରେ ତାଙ୍କ ସରକାର ଆଉ ଏକ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ତାଙ୍କ କ୍ୟାବିନେଟ ମଞ୍ଜୁରୀ ଦେଇଛି। ପ୍ରକଳ୍ପ ପାଇଁ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟ କରାଯିବ। ଓଡ଼ିଶାର ଯେ କୌଣସି ଭିତ୍ତିଭୂମି ପ୍ରକଳ୍ପ ପାଇଁ ଏହା ବଡ଼ ପୁଞ୍ଜି ବିନିଯୋଗ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରକଳ୍ପର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ହଁ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବୁଝାମଣା ପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଆରମ୍ଭ କରାଯିବା ନେଇ ଏ ବର୍ଷ ଏପ୍ରିଲ ପହିଲା ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଉଷା ଦେବୀ କହିଥିଲେ ଯେ, ବୁଝାମଣାପତ୍ର ସ୍ବାକ୍ଷର ହେବା ଏକ ଐତିହାସିକ ମୁହୂର୍ତ୍ତ, ଯାହା କି ଓଡ଼ିଶାର ପରିବହନ କ୍ଷେତ୍ରକୁ ନୂଆ ରୂପ ଦେବ । ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିକୁ ମନ୍ତ୍ରୀ ଉଷା ଦେବୀ ପ୍ରଶଂସା କରିଥିଲେ। ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ମେଟ୍ରୋ ରେଳ ପ୍ରକଳ୍ପ ଭୁବନେଶ୍ୱର ଓ କଟକକୁ ପ୍ରକୃତରେ ଯମଜ ନଗରୀରେ ପରିଣତ କରିବ । ଏହି ପ୍ରକଳ୍ପ ଦ୍ୱାରା ଉଭୟ ସହରରେ ଟ୍ରାଫିକ ସୁଗମ ହେବା ସହ ଅର୍ଥନୀତି ମଧ୍ୟ ସମୃଦ୍ଧ ହେବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି।

ଡିଏମଆରସି ପରିଚାଳନା ନିର୍ଦ୍ଦେଶକ ବିକାଶ କୁମାର କହିଛନ୍ତି ଯେ, ଓଡ଼ିଶାରେ ଏବେ ପରିବହନ ଭିତ୍ତିକ ବିକାଶର ପ୍ରକୃଷ୍ଟ ସମୟ ଆସିଛି ।