କାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ, କଡ଼ା ସୁରକ୍ଷା ବ୍ୟବସ୍ଥା  | News Room Odisha

କାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ, କଡ଼ା ସୁରକ୍ଷା ବ୍ୟବସ୍ଥା 

ଭୁବନେଶ୍ୱର – ଆସନ୍ତାକାଲିଠୁ ବିଧାନସଭାର ଶୀତକାଳିନ ଅଧିବେଶନ ଆରମ୍ଭ ହେବ । ଏହା ହେବ ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ । ଡିସେମ୍ବର ୩୦ ତାରିଖ ଯାଏଁ ଚାଲିବ ଶୀତ ଅଧିବେଶନ। ଏହି ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନ କିପରି ସୁରୁଖୁରୁରେ ଚାଲିବ, ସେ ନେଇ ଆଜି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଥମ ଦିନରେ ପୂର୍ବତନ ବାଚସ୍ପତି ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ଶୋକ ପ୍ରସ୍ତାବ ଆଗତ ହେବ । ସମସ୍ତଙ୍କ ସହଯୋଗରେ ଗୃହ ଚାଲିବ ବୋଲି ବାଚସ୍ପତି କହିଛନ୍ତି। ଅସୁସ୍ଥ ବିଧାୟକମାନେ ଅନୁମତି ନେଇ ବସିକି କହିପାରିବେ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି।

ବିଧାନସଭା ଅଧିବେଶନ ପାଇଁ ସୁରକ୍ଷା ବଳୟରେ ରହିବ ବିଧାନସଭା ଗୃହ। ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଡିଜିପି ସୁନୀଲ ବଂଶଲ ବିଧାନସଭା ବାହାର ଓ ଭିତରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ଅଧିବେଶନ ପାଇଁ ୨୮ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବେ। ସୁରକ୍ଷା ଦାୟିତ୍ୱରେ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ବରେ ୮ ଜଣ ଅତିରିକ୍ତ ଡିସିପି, ୧୬ ଜଣ ଏସିପି କାର୍ଯ୍ୟ କରିବେ।

ଏହାଛଡ଼ା ସାଦା ପୋଷାକଧାରୀ ପୋଲିସ, ରୁଫଟପ୍‌ ସିକ୍ୟୁରିଟି, କ୍ୟୁଆରଟି, ଷ୍ଟ୍ରାଇକିଂ ଫୋର୍ସ, ଏସଓଜି, ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ବାଡ୍ ଓ ଅଗ୍ନିଶମ ଅଧିକାରୀ ମଧ୍ୟ ମୁତୟନ ହେବେ। ବିଧାନସଭା ଠାରୁ ଲୋୟର ପିଏମଜି, ରବିନ୍ଦ୍ର ମଣ୍ଡପ ଛକ ସଂଲଗ୍ନ ରାସ୍ତାରେ ସିସିଟିଭି ଖଞ୍ଜାଯିବ। ଧାରଣା ସ୍ଥଳରେ ଆବଶ୍ୟକ ସ୍ଥଳେ ଡ୍ରୋନ୍‌ ବ୍ୟବହାର କରାଯିବ। ବିଧାନସଭାକୁ ସଂଲଗ୍ନ ୫ଟି ରାସ୍ତାରେ ଟ୍ରାଫିକ କଟକଣା ରହିବ।