ବିଧାନସଭାର ଶୀତ ଅଧିବେଶନ ଆରମ୍ଭ , ଶୋକ ପ୍ରସ୍ତାବ ଗୃହୀତ ପରେ ଗୃହକାର୍ଯ୍ୟ ମୁଲତବୀ | News Room Odisha

ବିଧାନସଭାର ଶୀତ ଅଧିବେଶନ ଆରମ୍ଭ , ଶୋକ ପ୍ରସ୍ତାବ ଗୃହୀତ ପରେ ଗୃହକାର୍ଯ୍ୟ ମୁଲତବୀ

ଭୁବନେଶ୍ୱର – ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ଗୃହକାର୍ଯ୍ୟ ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ।

ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଓ ଅନ୍ୟ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଗୃହୀତ ହେଲା ପରେ ଗୃହକାର୍ଯ୍ୟକୁ ଆସନ୍ତାକାଲି ଦିନ ସାଢେ ୧୦ଟା ଯାଏଁ ମୁଲତବୀ ରଖାଯାଇଛି। ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଗୃହରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଣେ ଜି. ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏହି ପଦ ପାଇଁ ସେ ଏକମାତ୍ର ପ୍ରାର୍ଥୀ ଥିଲେ ।

ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଡିସେମ୍ବର ୩୦ ତାରିଖ ଯାଏଁ ଚାଲିବ । ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ଏଥିମଧ୍ୟରୁ ୨୪ଟି ସରକାରୀ କାର୍ଯ୍ୟ ଦିବସ ଓ ୬ଟି ଘରୋଇ ସଦସ୍ୟଙ୍କ କାର୍ଯ୍ୟ ଦିବସ ରହିଛି। ବିଭିନ୍ନ ପ୍ରସଙ୍ଗରେ ଅଧିବେଶନ ସରଗରମ ହେବ ।

ବିଧାନସଭା ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୮ ପ୍ଲାଟୁନ୍‌ ପୋଲିସ ଫୋର୍ସ ସୁରକ୍ଷା କାର୍ଯ୍ୟ ପାଇଁ ମୁତୟନ ହୋଇଛନ୍ତି ।ସୁରକ୍ଷା ଦାୟିତ୍ୱରେ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ବରେ ୮ ଜଣ ଅତିରିକ୍ତ ଡିସିପି, ୧୬ ଜଣ ଏସିପି କାର୍ଯ୍ୟ କରିବେ।

ଏହାଛଡ଼ା ସାଦା ପୋଷାକଧାରୀ ପୋଲିସ, ରୁଫଟପ୍‌ ସିକ୍ୟୁରିଟି, କ୍ୟୁଆରଟି, ଷ୍ଟ୍ରାଇକିଂ ଫୋର୍ସ, ଏସଓଜି, ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ବାଡ୍ ଓ ଅଗ୍ନିଶମ ଅଧିକାରୀ ମଧ୍ୟ ମୁତୟନ ହୋଇଛନ୍ତି । ବିଧାନସଭା ଠାରୁ ଲୋୟର ପିଏମଜି, ରବିନ୍ଦ୍ର ମଣ୍ଡପ ଛକ ସଂଲଗ୍ନ ରାସ୍ତାରେ ସିସିଟିଭି ଖଞ୍ଜାଯାଇଛି। ଧାରଣା ସ୍ଥଳରେ ଆବଶ୍ୟକ ସ୍ଥଳେ ଡ୍ରୋନ୍‌ ବ୍ୟବହାର କରାଯିବ। ବିଧାନସଭାକୁ ସଂଲଗ୍ନ ୫ଟି ରାସ୍ତାରେ ଟ୍ରାଫିକ କଟକଣା ରହିବ।