ଶଙ୍କର ନେତ୍ରାଳୟର ପ୍ରତିଷ୍ଠାତା ଏସ.ଏସ ବଦ୍ରିନାଥଙ୍କ ଦେହାନ୍ତ  | News Room Odisha

ଶଙ୍କର ନେତ୍ରାଳୟର ପ୍ରତିଷ୍ଠାତା ଏସ.ଏସ ବଦ୍ରିନାଥଙ୍କ ଦେହାନ୍ତ 

ଚେନ୍ନାଇ – ଦେଶର ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ତଥା ଶଙ୍କର ନେତ୍ରାଳୟର ପ୍ରତିଷ୍ଠାତା ଡକ୍ଟର ଏସ. ଏସ ବଦ୍ରିନାଥ ଆଉ ନାହାନ୍ତି। ଆଜି ସକାଳେ ଶୋଇଥିବା ବେଳେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ସେ ବହୁ ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା।

ଦେଶରେ ଚକ୍ଷୁ ଚିକିତ୍ସାକୁ ସାଧାରଣ ଲୋକଙ୍କ ପାଇଁ ସୁଲଭ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଡକ୍ଟର ବଦ୍ରିନାଥ। ସେ ୨୦୧୯ ଯାଏଁ ଚକ୍ଷୁ ଚିକିତ୍ସାରେ ସକ୍ରିୟ ଥିଲେ । କିଶୋର ଅବସ୍ଥାରେ ମାଆବାପାଙ୍କୁ ହରାଇଥିଲେ । ବାପାଙ୍କ ଜୀବନ ବୀମା ଅର୍ଥରେ ସେ ମାଡ୍ରାସ ମେଡିକାଲ କଲେଜରେ ମେଡିସିନ ପଢା ଶେଷ କରିଥିଲେ । ଏହାପରେ ବିଦେଶର ବହୁ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ପ୍ରତିଷ୍ଠାନରେ ଅଧ୍ୟୟନ କରିଥିଲେ ବଦ୍ରିନାଥ। ୧୯୬୮ରେ ବଦ୍ରିନାଥ ଆମେରିକାର ବୋଷ୍ଟନ ସ୍ଥିତ ମାସାଚୁସେଟସ ଆଇ ଆଣ୍ଡ ଇୟର ଇନଫର୍ମାରିରେ ଯୋଗ ଦେଇଥିଲେ। ୧୯୭୦ରେ ସେ ଓ ତାଙ୍କ ସ୍ତ୍ରୀ ଭାରତ ପ୍ରତ୍ୟାବର୍ତ୍ତନ କରି ଚେନ୍ନାଇରେ କାମ ଆରମ୍ଭ କରିଥିଲେ । ୧୯୭୮ ମସିହାରେ ସେ ପ୍ରତିଷ୍ଠା କରିଥିଲେ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେସନ। ଏହାର ହସ୍ପିଟାଲ ୟୁନିଟ ଥିଲା ଶଙ୍କର ନେତ୍ରାଳୟ । ମେଡିକାଲ ରିସର୍ଚ୍ଚ ଫାଉଣ୍ଡେସନ ଥିଲା ଏକ ପଞ୍ଜିକୃତ ସୋସାଇଟି ଓ ଚକ୍ଷୁ ରୋଗ ସମ୍ପର୍କିତ ଅଣ ଲାଭକାରୀ ସଙ୍ଗଠନ । ଅନୁଦାନ ଓ ଦାତବ୍ୟ ଅର୍ଥରେ ହିଁ ବଦ୍ରିନାଥ ପ୍ରତିଷ୍ଠା କରିଥିଲେ ଶଙ୍କର ନେତ୍ରାଳୟ। ଶଙ୍କର ନେତ୍ରାଳୟ ମାଧ୍ଯମରେ ବଦ୍ରିନାଥ ଓ ତାଙ୍କ ପତ୍ନୀ ସାଧାରଣ ଲୋକଙ୍କ ପାଇଁ ସୁଲଭ ଚକ୍ଷୁ ଚିକିତ୍ସା ଆରମ୍ଭ କରିଥିଲେ। ଶଙ୍କର ନେତ୍ରାଳୟ ହିଁ ତାଙ୍କୁ ସାରାଦେଶରେ ପରିଚିତି ଦେଇଥିଲା ।