ବ୍ରହ୍ମପୁରରେ ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜୟନ୍ତୀ | News Room Odisha

ବ୍ରହ୍ମପୁରରେ ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜୟନ୍ତୀ

ବ୍ରହ୍ମପୁର: ମହାନ ଦେଶଭକ୍ତ ସ୍ଵାଧୀନତା ସଂଗ୍ରାମୀ ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜନ୍ମ ଜୟନ୍ତୀ ଦିବସ ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ବୁଧବାର ପୂର୍ବାହ୍ନରେ ପାଳିତ ହୋଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏହି ମହାନ ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ବ୍ରହ୍ମପୁର ମହାନଗର ନିଗମ ଡେପୁଟି କମିଶନର୍ ବିନୋଦ କୁମାର ବେହେରା ମାଲ୍ୟାର୍ପଣ କରିଥିଲେ। ବ୍ରହ୍ମପୁର ମଣ୍ଡଳ କାରାଗାର ଜେଲର୍ ସତ୍ୟ ନାରାୟଣ ବେହେରା, ମହାନ୍ ସଂଘ ସଭାପତି ସୁଶାନ୍ତ କୁମାର ସାବତ ଅନ୍ୟତମ ଅତିଥି ଥିଲେ। ପ୍ରଥମେ ମଣ୍ଡଳ କାରାଗାର ସମ୍ମୁଖ ସ୍ଥାନ ଯେଉଁଠି ବୀର ସଂଗ୍ରାମୀଙ୍କୁ ଫାଶୀ ଦିଆଯାଇଥିଲା ସେଠାରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଜେଲ ପରିସରସ୍ଥିତ ଶହୀଦଙ୍କ ସ୍ମୃତି ମନ୍ଦିରରେ ମାଲ୍ୟାର୍ପଣ କରାଯାଇଥିଲା l ସ୍ମୃତି ମନ୍ଦିର ସମ୍ମୁଖରେ ସମସ୍ତ ଅନ୍ତେବାସୀଙ୍କ ଉପସ୍ଥିତିରେ ଏକ ସ୍ମୃତି ସଭା ହୋଇଥିଲା l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ଅତିଥି ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନାଦର୍ଶ, ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ, ଫାଶୀଦଣ୍ଡ ସମ୍ପର୍କରେ ଆଲୋକପାତ କରିଥିଲେ।