ରଶ୍ମିକା, କ୍ୟାଟ୍ରିନାଙ୍କ ପରେ ଏବେ ସଚିନ ତେନ୍ଦୁଲକରଙ୍କ ଝିଅଙ୍କ ଡିପଫେକ୍ ଫଟୋ ଭାଇରାଲ୍ | News Room Odisha

ରଶ୍ମିକା, କ୍ୟାଟ୍ରିନାଙ୍କ ପରେ ଏବେ ସଚିନ ତେନ୍ଦୁଲକରଙ୍କ ଝିଅଙ୍କ ଡିପଫେକ୍ ଫଟୋ ଭାଇରାଲ୍

ମୁମ୍ବାଇ: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ‘ଡିପଫେକ୍’ ଟେକ୍ନୋଲୋଜିର‌ ଅପବ୍ୟବହାର ଏବେ ସେଲିବ୍ରିଟିଙ୍କ ପାଇଁ ଚିନ୍ତା କାରଣ ହୋଇଛି । ଅଭିନେତ୍ରୀ ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ ଓ କାଜୋଲଙ୍କ ପରେ ଏବେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ଡିପଫେକ୍ ଫଟୋ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି। ଏନେଇ ସ୍ପଷ୍ଟୀକରଣ ଜାରି କରିବାକୁ ବାଧ୍ୟ ହୋଇଛନ୍ତି ସାରା।

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ (ଟ୍ୱିଟର)’ରେ ଘୂରି ବୁଲୁଥିବା ତାଙ୍କ ଡିପଫେକ୍ ଫଟୋ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସଚିନଙ୍କ ଝିଅ । ଏହାଛଡ଼ା ସାରା ସ୍ପଷ୍ଟ କରିଛନ୍ତି ଯେ ‘ଏକ୍ସ’ରେ ତାଙ୍କର କୌଣସି ଅଫିସିଆଲ୍ ଆକାଉଣ୍ଟ୍ ନାହିଁ । ଲୋକମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ତାଙ୍କର ଡିପଫେକ୍ ଫଟୋ ତିଆରି କରି ଭାଇରାଲ୍ କରାଯାଇଛି ବୋଲି ସାରା ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ।

‘ଏକ୍ସ’ରେ ଭାଇରାଲ ସାରାଙ୍କ ଡିପଫେକ୍ ଫଟୋରେ ତାଙ୍କୁ ଭାରତୀୟ କ୍ରିକେଟର ଶୁଭମାନ ଗିଲଙ୍କ ସହ ଦେଖିବାକୁ ମିଳୁଛି। କିନ୍ତୁ ମୂଳ ଫଟୋରେ ସାରା ତାଙ୍କ ଭାଇ ଅର୍ଜୁନ ତେନ୍ଦୁଲକରଙ୍କ ସହ ଥିଲେ।

‘ଏକ୍ସ’ରେ ସାରା ତେନ୍ଦୁଲକରଙ୍କ ନାଁରେ ଅନେକ ଆକାଉଣ୍ଟ ରହିଛି । କିନ୍ତୁ ସେଗୁଡ଼ିକ ସବୁ ନକଲି। ଆଶ୍ଚର୍ଯ୍ୟର ବିଷୟ ଯେ ସାରାଙ୍କଋ ଏପରି ଏକ ନକଲି ଆକାଉଣ୍ଟକୁ ଲୋକେ ସତ ବୋଲି ଧରି ନେଇଛନ୍ତି ଓ ଏହାର ଅନୁଗାମୀ ସଂଖ୍ୟା ୨.୫ ଲକ୍ଷ ଟପିଲାଣି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାରାଙ୍କ ନାଁରେ ଏହି ନକଲି ଆକାଉଣ୍ଟରେ କେବଳ ତାଙ୍କ ଡିପଫେକ୍ ଫଟୋ ସେୟାର କରାଯାଇ ନାହିଁ ବରଂ ତାଙ୍କ ପାଖ ଲୋକଙ୍କୁ ମେସେଜ୍ ମଧ୍ୟ ପଠାଯାଇଛି ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଡିପଫେକ୍’ ପରି ଟେକ୍ନୋଲୋଜିର ଅପବ୍ୟବହାର ନେଇ ଚିନ୍ତା ପ୍ରକଟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କୃତ୍ରିମ ଇଣ୍ଟେଲିଜେନ୍ସ ଆଧାରିତ ଡିପଫେକ୍ ଦେଶ ପାଇଁ ଏକ ବଡ଼ ବିପଦ ବୋଲି କହିଥିଲେ। ଗଣମାଧ୍ୟମ ଏନେଇ ଲୋକଙ୍କୁ ସଚେତନ କରାଇବା ଉଚିତ୍ ବୋଲି କହିଥିଲେ ମୋଦୀ ।

ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କର ଏକ ଡିପଫେକ୍ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏପରି ବୟାନ ଆସିଥିଲା। ରଶ୍ମିକାଙ୍କ ବ୍ୟତୀତ ‘ଟାଇଗର ୩’ର ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ କାଜୋଲଙ୍କ ଡିପଫେକ୍ ଫଟୋ ଓ ଭିଡ଼ିଓ ମଧ୍ୟ ଇଣ୍ଟରନେଟରେ ଦେଖିବାକୁ ମିଳିଥିଲା।

ରଶ୍ମିକାଙ୍କ ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକୁ ଏହିପରି ଭିଡିଓ ଉପରେ ନଜର ରଖିବାକୁ କହିଥିଲେ।