ଶ୍ରୀମନ୍ଦିରରେ ଦେବୋତ୍ଥାନ ଓ ବଡ ଏକାଦଶୀ ନୀତି | News Room Odisha

ଶ୍ରୀମନ୍ଦିରରେ ଦେବୋତ୍ଥାନ ଓ ବଡ ଏକାଦଶୀ ନୀତି

“ଯସ୍ତ୍ବଂ ମାସାନତିବ୍ୟାପ୍ୟ ଚତୁରଃ ପରମେଶ୍ୱରଃ ।

ନିଦ୍ରାସୁଖଂ ପ୍ରଭଜସେ ତଦନ୍ତେ ସାଂପ୍ରତଂ ପ୍ରଭୋ।।”

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ହରି ଉତ୍ଥାପନ ଏକାଦଶୀ ଅନ୍ୟତମ । ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ ଦିନ ଦେବୋତ୍ଥାନ ଏକାଦଶୀ ବା ପ୍ରବୋଧନ ଯାତ୍ରା ପାଳିତ ହୋଇଥାଏ । ଦୀର୍ଘ ଚାରି ମାସ ପରେ ଆଜିଠାରୁ ଶୁଭ ସମୟ ଆରମ୍ଭ ହୋଇଥାଏ । ଆଷାଢ ଶୁକ୍ଳ ପକ୍ଷ ଏକାଦଶୀ ଠାରୁ ଭଗବାନ ବିଷ୍ଣୁ ଶୟନରତ ଥିଲେ । ତେଣୁ, ଏହି ସମୟରେ ବିବାହ, ବ୍ରତ ଆଦି ଶୁଭ କାର୍ଯ୍ୟମାନ ବର୍ଜିତ ହୋଇଥିଲା ।

ସମସ୍ତ ମାସ ମଧ୍ୟରେ ପବିତ୍ରତମ ମାସ ହେଉଛି କାର୍ତ୍ତିକ। ଏହି ମାସରେ ବ୍ରତ ଆଚରଣ କରି ବର୍ଷକ ଯାକ ପାପରୁ ଵ୍ରତଚାରୀ ମାନେ ପବିତ୍ର ହୁଅନ୍ତି । ଏହି ମାସ ମଧ୍ୟେ ଶ୍ରେଷ୍ଠ ହେଉଛି ଶେଷ ପାଞ୍ଚଦିନ । ଯାହା ପଞ୍ଚୁକ ନାମେ ପରିଚିତ। ଏହା ହରି ଉତ୍ଥାପନ ଏକାଦଶୀରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ । ଚଳିତ ବର୍ଷ ଛଅ ଦିନିଆ ପଞ୍ଚୁକ ବ୍ରତ ପଡ଼ୁଥିବାରୁ, ଅକ୍ଟୋବର ୨୭ରୁ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଆରମ୍ଭ ହୋଇଛି । ନଭେମ୍ବର ୨୫ ଏକାଦଶୀ ଦିନ ଅବକାଶ ପରେ ମହାପ୍ରଭୁଙ୍କ ଠିଆକିଆ ବେଶ (ଲକ୍ଷ୍ମୀନାରାୟଣ ବେଶ) ଓ ହରି ଉତ୍ଥାପନ ନୀତି ସମାପନ ହେବ । କାର୍ତ୍ତିକ ମାସ ସହ ପଞ୍ଚୁକ ପାଞ୍ଚଦିନ ନିଷ୍ଠା ଓ ଭକ୍ତିର ସହିତ ହରି ହରଙ୍କୁ ପୂଜା କଲେ ଅଶେଷ ପୁଣ୍ୟ ସହିତ ଅନ୍ତେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ।

ଏହି ଦିନ ବାଳ ଧୂପ ସରିବା ପରେ ପତି ମହାପାତ୍ର, ପୂଜାପଣ୍ଡା ଓ ମୁଦିରସ୍ତ ୩ ବାଡ଼ରେ ଆଳତି କରିଥାନ୍ତି ଓ ଶୟନ ଏକାଦଶୀ ପରି ସମସ୍ତ ନୀତି ବଲ୍ଲଭ ବଡ଼ସିଂହାର ପର୍ଯ୍ୟନ୍ତ ହୋଇଥାଏ । ବଡ଼ସିଂହାର ଭୋଗ ସରିବା ପରେ ଭିତରରେ ମହାସ୍ନାନ ପୂଜାଠା ହୋଇଥାଏ । ୩ ଜଣ ପାଳିଆ ସେବାୟତ ଖଟ ଶେଯ ଘର ଉପରକୁ ଯାଇ ଶୟନ ପେଡି ମୁଦ ଭାଙ୍ଗିଥାନ୍ତି । ପରେ ମୁଦିରସ୍ତ ଶୟନ ପେଡ଼ି ଖୋଲି ପାର୍ଥନା କରି କର୍ପୁର ଆଳତି, ଅଞ୍ଜଳି କରି ୩ ଗୋଟି ରୂପା ଥାଳିରେ ୩ ମହାପ୍ରଭୁଙ୍କୁ ୩ ଜଣ ସେବାୟତ ହାତରେ ବିଜେ କରାଇଥାନ୍ତି । ଖଟୁଳିରେ ବିଜେ କରାଇ ମହାସ୍ନାନ ବଢ଼ାଇଥାନ୍ତି । ମହାସ୍ନାନ ବଢ଼ିଲା ପରେ ରତ୍ନସିଂହାସନ ଉପରେ ବିଜେ କରିଥାନ୍ତି । ପତି ମହାପାତ୍ର, ପୂଜାପଣ୍ଡା ଓ ମୁଦିରସ୍ତ ୩ ଗୋଟି ରୂପା ପିଙ୍ଗଣରେ ଘଟୁଆରୀ ଘରଠାରୁ ଚନ୍ଦନ ବିଜେ କରି ଆଣି ସର୍ବାଙ୍ଗ ଚନ୍ଦନ ଲାଗି କରିଥାନ୍ତି ଓ ତତ୍ପରେ ନୂଆ ଲୁଗା ଲାଗି ହୋଇଥାନ୍ତି । ମାଳ, ଫୁଲରେ ବେଶ ହୋଇ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇଥାଏ ।

ଏହାପରେ ବଲ୍ଲଭ ବଡ଼ସିଂହାର ଭୋଗ, ଘଣ୍ଟ, ଛତ୍ର, କାହାଳୀ ସହ ତଳୁଛ ପଟୁଆରରେ ଆସି ଷୋଡଶ ଉପଚାରରେ ମଣୋହି କରିଥାନ୍ତି । ଭୋଗ ବଢିବା ପରେ କର୍ପୁର ଆଳତି ବନ୍ଦାପନା ହୋଇ ଶୟନ ଠାକୁର ଭଣ୍ଡାର ଘରକୁ ବିଜେ କରିଥାନ୍ତି। ଏହାପରେ ପୁଷ୍ପାଳକ ସେବକ ଆସି ଶ୍ରୀଜୀଉଙ୍କ ତଡାଉ ମଇଲମ କରିଥାନ୍ତି । ଏହାପରେ ପଇଡ଼, ଘସା, ବିଡ଼ିଆ ମଣୋହି ହୋଇ ପୁଷ୍ପାଞ୍ଜଳି ହୋଇ ନିତ୍ୟ ପହୁଡ଼ ହୋଇଥାଏ ।