ରାଜୌରି ଏନକାଉଣ୍ଟର: ଟଳିଲେ ଦୁଇ ଲସ୍କର ଆତଙ୍କବାଦୀ, ସେନାର ୫ ଯବାନ ସହିଦ୍ | News Room Odisha

ରାଜୌରି ଏନକାଉଣ୍ଟର: ଟଳିଲେ ଦୁଇ ଲସ୍କର ଆତଙ୍କବାଦୀ, ସେନାର ୫ ଯବାନ ସହିଦ୍

ଶ୍ରୀନଗର: କାଶ୍ମୀରର ରାଜୌରିରେ ଚାଲିଥିବା ଏନକାଉଣ୍ଟରରେ ଲସ୍କର-ଏ-ତୋଇବାର ଜଣେ ଟପ୍ କମାଣ୍ଡର ସହ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି । ବୁଧବାର ଠାରୁ ରାଜୌରିରେ କାଲାକୋଟରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା ।

ସୂଚନା ଅନୁଯାୟୀ ଜମ୍ମୁ କାଶ୍ମୀରରେ ଆତଙ୍କବାଦକୁ ଉଜ୍ଜୀବିତ କରିବା ପାଇଁ ଏହି ଆତଙ୍କବାଦୀ ମାନଙ୍କୁ ପଠାଯାଇଥିଲା। ଉଭୟ ଆତଙ୍କବାଦୀ ଆଇଡି ତିଆରି କରିବାରେ ସିଦ୍ଧହସ୍ତ ଥିଲେ। ସେମାନେ ଜଙ୍ଗଲ ଯୁଦ୍ଧରେ ବି ଅଭ୍ୟସ୍ତ ଥିଲେ ଓ ଏକ୍ସପର୍ଟ ସ୍ନାଇପର୍ ଥିଲେ । ଏହି ଅପରେସନରେ ଭାରତୀୟ ସେନାର ୫ ଯବାନ ସହିଦ୍ ହୋଇଛନ୍ତି।

ନିପାତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କରର ଜଣେ ଟପ୍ କମାଣ୍ଡର କାରୀ ରହିଛି । କାରୀ ପାକିସ୍ତାନର ନାଗରିକ । ସେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିଲା । କାରୀକୁ ଡାଙ୍ଗ୍ରି ଓ କାଣ୍ଡି ଆକ୍ରମଣର ମାଷ୍ଟରମାଇଣ୍ଡ କୁହାଯାଉଛି । ଗତ ଏକ ବର୍ଷ ଧରି କାରୀ ନିଜ ଗ୍ରୁପ ସହିତ କାଶ୍ମୀରର ରାଜୌରି ଓ ପୁଞ୍ଚରେ ସକ୍ରିୟ ରହିଥିଲା ।

ଉଲ୍ଲେଖଯୋଗ୍ୟ, ଗତକାଲି ରାଜୌରି ଜିଲ୍ଲାର ଧର୍ମସାଲ ସ୍ଥିତ ବାଜିମାଲ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ ଗତକାଲି ସକାଳ ୯ଟାରେ ଆତଙ୍କବାଦୀ କାଲାକୋଟ ଜଙ୍ଗଲରେ ଲୁଚି ରହିଥିବା ସୂଚନା ପାଇବା ପରେ ତଲାସି ଆରମ୍ଭ ହୋଇଥିଲା । ତଲାସି ବେଳେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଅତର୍କିତ ଗୁଳିମାଡ଼ ଯୋଗୁଁ ସେନାର ଦୁଇ କ୍ୟାପଟେନ୍ ପାହ୍ୟା ଅଧିକାରୀଙ୍କ ସହ ଚାରିଜଣ ଯବାନ ସହିଦ୍ ହୋଇଥିଲେ। ଆଜି ଆଉ ଜଣେ ସେନା କର୍ମଚାରୀ ସହିଦ୍ ହୋଇଛନ୍ତି।