ଶୀଘ୍ର ଆରମ୍ଭ ହେବ ବ୍ରହ୍ମପୁର ଗେଟ୍‌ବଜାର ଓଭରବ୍ରିଜ୍‌ ନିର୍ମାଣ  | News Room Odisha

ଶୀଘ୍ର ଆରମ୍ଭ ହେବ ବ୍ରହ୍ମପୁର ଗେଟ୍‌ବଜାର ଓଭରବ୍ରିଜ୍‌ ନିର୍ମାଣ 

ବ୍ରହ୍ମପୁର: ବ୍ରହ୍ମପୁର ମହାନଗରବାସୀଙ୍କ ସ୍ଵଚ୍ଛନ୍ଦ ଚଳାଚଳ ଦୃଷ୍ଟିରୁ ଏକାଧିକ ଓଭରବ୍ରିଜ୍‌ ନିର୍ମାଣ କରାଯାଇଛି। ସହରର ପ୍ରଥମ ଓଭରବ୍ରିଜ୍‌ କମାପଲ୍ଲୀ ଛକ ଠାରେ ନିର୍ମିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ହଳଦିଆପଦର, ଗୋପାଳପୁର ଛକ, ଇଞ୍ଜିନିୟରିଂ ସ୍କୁଲ ଛକ ଓ କିଛି ମାସ ତଳେ ଗୋସାଇଁନୂଆଗାଁ- ରେଳଷ୍ଟେସନ୍‌ ଓଭରବ୍ରିଜ୍‌ କାର୍ଯ୍ୟକ୍ଷମ ହୋଇଛି। ତେବେ ଏସବୁ ହେଉଛି ରେଳ ଓଭରବ୍ରିଜ୍‌। କିନ୍ତୁ ସଡ଼କ ପଥରେ ଭାରୀ ଟ୍ରାଫିକ୍‌କୁ ହ୍ରାସ କରିବା ତଥା ଗାଡ଼ିମୋଟର ଚଳାଚଳକୁ ସୁଗମ କରିବା ଦୃଷ୍ଟିରୁ ମହାନଗରର ସବୁଠାରୁ ବ୍ୟସ୍ତବହୁଳ ଗେଟ୍‌ବଜାର ଛକ ସମେତ ଆଉ ଗୋଟିଏ ଦୁଇଟି ସ୍ଥାନରେ ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ ସକାଶେ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି। ବର୍ତ୍ତମାନ ରାଜ୍ୟ ସରକାର ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତିି। ଗେଟ୍‌ବଜାର ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ ସମ୍ବନ୍ଧୀୟ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ପ୍ରାୟ ପ୍ରସ୍ତୁତ ହୋଇଗଲାଣି। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଆରମ୍ଭ ହେବ ଜମି ଅଧିଗ୍ରହଣ ଓ ନିର୍ମାଣ କାର୍ଯ୍ୟ। ଫଳରେ ସର୍ବଦା ଅଧିକ ଗହଳିଚହଳି ରହୁଥିବା ଉକ୍ତ ଛକରେ ଟ୍ରାଫିକ୍‌ ସୁଗମ ହୋଇପାରିବ। ମହାନଗର ବାହାରୁ ତଥା ହିଞ୍ଜିଳି, ଆସିକା ଏବଂ ଦିଗପହଣ୍ଡି, ମୋହନା ପଟୁ ଆସି ସିଟି ହସପିଟାଲ୍‌, କମାପଲ୍ଲୀ ହୋଇ ଯାଉଥିବା ତଥା ତାର ଓଲଟା ଦିଗରେ ଗାଡ଼ିମୋଟରକୁ ଯାତାୟାତ ସୁବିଧାଜନକ ହେବ।

ଓଡ଼ିଶା ବ୍ରିଜ୍‌ କନଷ୍ଟ୍ରକ୍ସନ୍‌ କର୍ପୋରେସନ୍‌ (ଓବିସିସି) ସର୍ଭେ ସାରିବା ପରେ ଆଲାଇନ୍‌ମେଣ୍ଟ୍‌ ସର୍ଭେ ହୋଇଥିଲା। ଭୁବନେଶ୍ଵରର ଏକ ସଂସ୍ଥା ଡିପିଆର୍‌ ପ୍ରସ୍ତୁତ କରିଛି। ୧୧୨୦ ମିଟର ଲମ୍ବ ଏବଂ ୨୨ ମିଟର୍‌ ଚଉଡ଼ାର ବ୍ରିଜ୍‌ ଓ ଆପ୍ରୋଚ୍‌ ରୋଡ୍‌ କରାଯିବ ବୋଲି ସୂଚନା ଦେଇଛନ୍ତି ଓବିସିସି ଭାରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାତ ପାଣିଗ୍ରାହୀ। ବର୍ତ୍ତମାନ ଗେଟ୍‌ବଜାର ନିକଟରେ ରାସ୍ତା ୧୪ ମିଟରରୁ ୧୮ ମିଟର୍ ପର୍ଯ୍ୟନ୍ତ ଓସାର ରହିଛି। ଏଣୁ ଆହୁରି ୪ରୁ ୮ ମିଟର ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଲୋଡ଼ା। ଏହି ଫ୍ଲାଏ ଓଭର୍‌ବ୍ରିଜ୍‌ ଆସ୍କା ରୋଡ୍‌ ନୀଳାଦ୍ରିବିହାର ଛକରୁ ଆରମ୍ଭ ହୋଇ ସିଟି ହସପିଟାଲ୍‌ ନିକଟରେ ସରିବ।

ପ୍ରକାଶ ଥାଉକି ସହର ବାହାରୁ ଆସୁଥିବା ଭାରୀ ମାଲବାହୀ ଯାନ ରତନପୁରରୁ ରିଙ୍ଗ୍‌ ରୋଡ୍‌ ହୋଇ ଜଗନ୍ନାଥପୁର କିମ୍ବା ହଳଦିଆପଦର ନିକଟ ଜାତୀୟ ରାଜପଥକୁ ବାହାରିବ। ସହର ଭିତରେ ଅଧିକ ମାଲବୋଝେଇ ଗାଡ଼ି ପ୍ରବେଶ କରିବ ନାହିଁ। ଦୂରଗାମୀ ତଥା ନାଇଟ୍‌ କୋଚ୍‌ ବସ୍‌, ଟାଉନ୍‌ ବସ୍‌, ଚାରିଚକିଆ ଯାନ ଆଦି ଗେଟବଜାର ଓଭରବ୍ରିଜ୍‌ ଦେଇ ଯତାୟତ କରିବ। ଏହି କାରଣରୁ ଭିଡ଼ ହାସ ସହ ଦୁର୍ଘଟଣା କମିବା ଆଶା କରାଯାଉଛି।