କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତଥା ବୈକୁଣ୍ଠ ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଥାଏ । ଠାକୁରମାନେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଏହି ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଶ୍ରୀଜୀଉଙ୍କ ଏହି ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ପ୍ରତିବର୍ଷ ପ୍ରବଳ ଭିଡ଼ ଲାଗେ କିନ୍ତୁ ଚଳିତ ବର୍ଷ କରୋନା କଟକଣା ଜାରି କରାଯାଇଛି । ଶ୍ରୀଜୀଉଙ୍କର ଅବକାଶ ନୀତି ପରେ ବେଶ ଅନୁଷ୍ଠିତ ହୁଏ । ଏହି ଲକ୍ଷ୍ମୀ ନୃସିଂହ ବେଶରେ ସୁନାକିଆ ଡାଳି ଭଳି ଖଞ୍ଜା ଯାଇଥିବାରୁ ଏହାକୁ ଡାଳିକିଆ ବେଶ ମଧ୍ୟ କୁହାଯାଇଥାଏ । ଲକ୍ଷ୍ମୀନୃସିଂହ ବେଶରେ ଠାକୁରମାନେ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର, କିରୀଟ, କୁଣ୍ଡଳ, ଚନ୍ଦ୍ରିକା ଆଦି ଧାରଣ କରିଥିଲେ। ବଡଠାକୁର ସୁବର୍ଣ୍ଣର ହଳ ମୂଷଳ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ରୁପାର ଶଙ୍ଖ ଓ ସୁବର୍ଣ୍ଣ ଚକ୍ର ଧାରଣ କରିଥିଲେ।
ରତ୍ନଭାଣ୍ଡାରରୁ ଆଣିଥିବା ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ଦିଅଁମାନଙ୍କୁ ସଜାଇଥାନ୍ତି ସେବାୟତ। ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ପର୍ଯ୍ୟାପ୍ତ ସଂଖ୍ୟକ ରଙ୍ଗବେରଙ୍ଗର ଫୁଲ ସବୁକୁ ଶ୍ରୀମସ୍ତକରେ ଲଗାଯାଏ । ଏହି ଡାଳ ମଝି ମଝିରେ ଠିଆପାଖୁଡ଼ା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜାଯାଇଥାଏ । ଗୋପାଳ ବଲ୍ଲଭ, ବାଳଭୋଗ ଓ ସକାଳଧୁପ ଶେଷହେବା ପର୍ଯ୍ୟନ୍ତ ଏହି ବେଶ ରହିଥାଏ । ତାହା ମଧ୍ୟରେ ସୁବର୍ଣ୍ଣ କିଆ ଖୋସାଯାଏ । ଶ୍ରୀମୁଖରେ ଦିଆଯାଇଥିବା ଗୋଟିଏ ଗୋଟିଏ ବଳା ସମଗ୍ର ବେଶକୁ ଧରି ରଖିଥାଏ । ଏହି ବେଶରେ ମାଳି, ପଦକମାଳି ଓ ତାବିଜ ମାଳି ଲଗାଯାଏ । ଶ୍ରୀଭୁଜ ଓ ଶ୍ରୀପୟର ମଧ୍ୟ ଲାଗେ । ଆୟୁଧ, ଶଙ୍ଖ, ଚକ୍ର, ହଳ, ମୂଷଳ ମଧ୍ୟ ଲାଗି କରାଯାଏ । ତେବେ ତିନି ଠାକୁର ଅନ୍ୟ ବେଶପରି ସୁବର୍ଣ୍ଣ ଅଳଙ୍କାର ମଧ୍ୟ ଧାରଣ କରିଥାନ୍ତି ।