ବିଏମସି ବୈଠକରେ ନିଷ୍ପତ୍ତି: ବିନା ଅନୁମତିରେ ରାସ୍ତା ଖୋଳାଖୋଳି କଲେ ଦାୟର ହେବ ଏତଲା  | News Room Odisha

ବିଏମସି ବୈଠକରେ ନିଷ୍ପତ୍ତି: ବିନା ଅନୁମତିରେ ରାସ୍ତା ଖୋଳାଖୋଳି କଲେ ଦାୟର ହେବ ଏତଲା 

ଭୁବନେଶ୍ୱର – ଭୁବନେଶ୍ୱର ମହାନଗର ନିଗମ -ବିଏମ୍‌ସିର ଅନୁମତି ବିନା ରାସ୍ତା ଖୋଳାଖୋଳି କଲେ ସଂପୃକ୍ତ ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାୟର କରାଯିବ । ବିଏମ୍‌ସି ମୁଖ୍ୟାଳୟରେ ବସିଥିବା ଆନ୍ତଃ ବିଭାଗୀୟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବିଏମସିର ବିନା ଅନୁମତିରେ କୌଣସି ସଂସ୍ଥା ବା ବ୍ୟକ୍ତିବିଶେଷ ରାସ୍ତା କେବୁଲ ବିଛାଇବା, ଖୁଣ୍ଟି ପୋତିବା, ଗ୍ୟାସ୍ ପାଇପ ଲାଇନ୍, ସ୍ୱେରେଜ କାମ କିମ୍ବା ନିର୍ମାଣ କାମ ପାଇଁ ରାସ୍ତା ଖୋଳିଲେ ଏତଲା ଦାୟର କରାଯିବ। ଏସବୁ କାମ ପାଇଁ ଉପଯୁକ୍ତ କାରଣ ଦର୍ଶାଇ ଅନୁମତି ନେବାକୁ ପଡିବ ।ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକରେ ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୁର ବିକାଶ, ଡେପୁଟି କମିସନର (ରାଜସ୍ୱ ) ପ୍ରିୟବ୍ରତ ପାଢୀ, ୱାଟକୋ, ଇଡକୋ ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିଏସ୍ଏନ୍ଏଲ୍, ଓପିଟିସିଏଲ୍, ଗେଲ୍ ଇଣ୍ଡିଆ ଲିମିଟେଡ, ପାୱାର ଗ୍ରୀଡ, ଜିଓ ରେଲାଏନ୍ସ, ଭାରତୀ ଏୟାରଟେଲ, ଟାଟା କମ୍ୟୁନିକେଶନ ଲିମିଟେଡ୍, ଭୋଡାଫୋନ୍ କଂପାନିର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ରାସ୍ତା ଖୋଳାଖୋଳି ନେଇ ଅନେକ ଅଭିଯୋଗ ବିଏମସିର ହସ୍ତଗତ ହୋଇଛି । ବିଏମ୍‌ସି କର୍ପୋରେଟରମାନେ ଏଭଳି ସମସ୍ୟା ସଂପର୍କରେ ବହୁବାର ଦୃଷ୍ଟି ଆକର୍ଷଣ କରିଛନ୍ତି । ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯେ କୌଣସି ବିଭାଗ, କର୍ପୋରେସନ, ଅନୁଷ୍ଠାନ ପ୍ରଚଳିତ ନିୟମକୁ ଅନୁସରଣ କରିବାକୁ ପଡିବ । ତେଣୁ ରାସ୍ତା କାଟିବା ପୂର୍ବରୁ ଉପଯୁକ୍ତ କାରଣ ଦର୍ଶାଇବା ସହ ବିଏମ୍‌ସିର ଅନୁମତି ନେବାକୁ ପଡିବ ।