ଜାନୁଆରୀ ପ୍ରଥମ ସପ୍ତାହରୁ ଆସିକା ଚିନି କଳରେ ଆଖୁପେଡ଼ା | News Room Odisha

ଜାନୁଆରୀ ପ୍ରଥମ ସପ୍ତାହରୁ ଆସିକା ଚିନି କଳରେ ଆଖୁପେଡ଼ା

ଭଞ୍ଜନଗର: ଆସନ୍ତା ଜାନୁଆରୀ ମାସ ପ୍ରଥମ ସପ୍ତାହରୁ ଆସିକା ଚିନି କଳରେ ଚଳିତ କୃଷି ବର୍ଷ ନିମନ୍ତେ ଆଖୁପେଡ଼ା ଆରମ୍ଭ ହେବ। କେତେ ଆଖୁ ଏଥର ପେଡ଼ାଯାଇ ଚିନି ବାହାର କରାଯିବ ତାହା ଶୀଘ୍ର ନିର୍ଦ୍ଧାରଣ କରାଯିବ। କିନ୍ତୁ ଏଥର ଆଖୁ ଚାଷୀଙ୍କ ସୁବିଧା ପ୍ରତି ଅଧିକ ଗୁରୁତ୍ବ ଦିଆଯିବ। କାରଖାନାରେ କୌଣସି ଯାନ୍ତ୍ରିକ ତ୍ରୁଟି ହେଲେ ସୁଦ୍ଧା ଆଖୁ ଚାଷୀମାନଙ୍କ ଯେପରି କିଛି ସମସ୍ୟା ହେବନାହିଁ ସେଥିପ୍ରତି ଗୁରୁତ୍ବ ଦିଆଯିବ। ସୁରା ପ୍ରସ୍ତୁତି ୟୁନିଟକୁ ଶୀଘ୍ର କାର୍ଯ୍ୟକାରୀ କରାଯିବ। ଆସିକା ଚିନି କଳର ପରିଚାଳନା ପରିଷଦ ବୈଠକରେ ଏସବୁ ନିଷ୍ପତ୍ତି ନିଆଯାଇଛି।

ନୟାଗଡ ଜିଲ୍ଲାର ତିନିଟି ବ୍ଲକ୍ ଏବଂ ଖୋର୍ଦ୍ଧା ଜିଲ୍ଲାର ତିନିଟି ବ୍ଲକର ଆଖୁଚାଷୀ ଆସିକା ଚିନି କଳକୁ ଆଖୁ ଯୋଗାଇବା ବ୍ୟବସ୍ଥା କରାଯିବ। କାରଖାନାର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ସଂଯୋଗ କରାଯିବ, ଆଖପାଖ ବିଭିନ୍ନ ମୌଜାରେ ଥିବା କାରଖାନାର ନିଜସ୍ବ ଜାଗାକୁ ଚିନି ଶିଳ୍ପ ପରିଚାଳନା ଅଧୀନକୁ ଆଣିବା ବାବଦରେ ଆଲୋଚନା କରାଯାଇ‌ଯାଇ ଥିଲା।‌ ଚିନିଶିଳ୍ପ ସଭା ଗୃହରେ ଅନୁଷ୍ଠିତ ଏହି ବୈଠକରେ ପରିଚାଳନା ପରିଷଦର ସଭାପତି ରବୀନ୍ଦ୍ର ପଣ୍ଡା, ପରିଚାଳନା ନିର୍ଦ୍ଦେଶକ ଗାୟତ୍ରୀ ଦତ୍ତ ନାୟକ, ପରିଚାଳନା ପରିଷଦ ଉପସଭାପତି ସ୍ନେହଲତା ଚଣ୍ଡ, ସମ୍ପାଦକ ଚନ୍ଦ୍ରଶେଖର ରେଡ୍ଡି ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ l