ଶ୍ରୀକ୍ଷେତ୍ର ହେଉଛି ଦେବଦୁର୍ଲଭ କ୍ଷେତ୍ର ଏବଂ ସମସ୍ତ ତୀର୍ଥର ମୌଳିକତା ତୀର୍ଥରାଜ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ହିଁ ପ୍ରକଟିତ ହୋଇଥିବା ଯୋଗୁଁ ଶ୍ରୀକ୍ଷେତ୍ର ସକଳତୀର୍ଥର ତୀର୍ଥରାଜ ଭାବରେ ଯୁଗେ ଯୁଗେ ସଂସାରରେ ଖ୍ୟାତି ଅର୍ଜନ କରିପାରିଛି । ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ରରେ ବହୁକାଳରୁ ଅନେକ ତୀର୍ଥର ସମାହାର ଘଟିଥିଲେ ହେଁ ମୁଖ୍ୟତଃ ପାଞ୍ଚଟି ତୀର୍ଥର ପ୍ରାଧାନ୍ୟ ଓ ମାହାତ୍ମ୍ୟ ବିଭିନ୍ନ ପୁରାଣ ଶାସ୍ତ୍ରମାନଙ୍କରେ ଉଲ୍ଲେଖ ରହିଥିବା ଦେଖାଯାଏ । ବିଭିନ୍ନ ଶାସ୍ତ୍ରରେ ପଞ୍ଚତୀର୍ଥର ନାମ ବିଭିନ୍ନ ପ୍ରକାର ଦିଆଯାଇଛି । ଯଥା- ‘ ସ୍କନ୍ଦ ପୁରାଣ’ରେ ପଞ୍ଚତୀର୍ଥର ବର୍ଣ୍ଣନା ଯଥା- ମାର୍କଣ୍ଡେୟ ପୁଷ୍କରିଣୀରେ ସ୍ନାନ , ଅକ୍ଷୟ ବଟଙ୍କୁ ଦର୍ଶନ , ଶ୍ରୀମନ୍ଦିର ଭିତରେ ଗରୁଡ଼ ଓ ତିନି ଠାକୁରଙ୍କୁ ଦର୍ଶନ , ମହୋଦଧି ଅର୍ଥାତ୍ ସମୁଦ୍ରରେ ସ୍ନାନ ଏବଂ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ । ଏହିପରି ବିଭିନ୍ନ ଶାସ୍ତ୍ରକାରଙ୍କ ରଚନାରେ ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ବିଷୟରେ ଉଲ୍ଲେଖ ରହି ଥିଲେ ହେଁ ତିନୋଟି ତୀର୍ଥ ହିଁ ନିର୍ବିବାଦରେ ଗୃହୀତ ହୋଇଛି ଯଥା- ମାର୍କଣ୍ଡେୟ ପୁଷ୍କରିଣୀ , ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଓ ମହୋଦଧି ଅର୍ଥାତ୍ ସମୁଦ୍ର । ଉକ୍ତ ତିନୋଟି ତୀର୍ଥକୁ ଛାଡିଦେଲେ ଅନ୍ୟ ଦୁଇଟି ତୀର୍ଥ ସଂପର୍କରେ ବହୁମତ ପାର୍ଥକ୍ୟ ରହିଛି । କେହି କେହି ଅକ୍ଷୟ ବଟ ମୂଳସ୍ଥ ବତଃଶ୍ଵର ଦେବଙ୍କୁ ଏବଂ ମନ୍ଦିର ଭିତରେ ଗରୁଡ଼ ଓ ତିନି ଠାକୁରଙ୍କୁ ଓ କେହି କେହି ଶ୍ୱେତଗଙ୍ଗା ତଥା ରୋହିଣୀ କୁଣ୍ଡକୁ , କେହି କେହି ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ପଞ୍ଚତୀର୍ଥର ଅନ୍ତର୍ଭୁକ୍ତ କରିଛନ୍ତି ।
ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ମାର୍କଣ୍ଡେୟ ପୁଷ୍କରଣୀ ହେଉଛି ପ୍ରଥମ ତୀର୍ଥ । ଶାସ୍ତ୍ର ମତରେ ଜଗତ ପ୍ରଳୟ ଜଳରେ ବିଲୀନ ହୋଇଯାଉଥିବା ସମୟରେ ମାର୍କଣ୍ଡେୟ ଋଷି ପ୍ରଳୟ ଜଳରେ ଭାସି ଭାସି ଶ୍ରୀକ୍ଷେତ୍ରର ବଟବୃକ୍ଷ ନିକଟରେ ପହଞ୍ଚି ଦେଖିଲେ ଯେ ଭଗବାନ ବିଷ୍ଣୁ ଅଙ୍ଗୁଷ୍ଠ ପ୍ରମାଣ ପୁରୁଷ ରୂପେ ବଟ ବୃକ୍ଷର ଉର୍ଦ୍ଧ୍ୱଦେଶସ୍ଥିତ ଏକ ପତ୍ର ଉପରେ ଶୟନ କରିଛନ୍ତି । ସେଠାରେ ମାର୍କଣ୍ଡେୟ ଋଷି ପୁରୁଷ ରୂପୀ ଭଗବାନଙ୍କୁ ଦର୍ଶନ କରିବା ସମୟ ରେ ଏକ ଅଲୌକିକ ଆକର୍ଷଣ ଦ୍ବାରା ସେ ତାଙ୍କର ମୁଖ ମଧ୍ୟରେ ପ୍ରବେଶ କରିଗଲେ । ମାର୍କଣ୍ଡେୟ ଋଷି ବହୁକାଳ ଧରି ସେହି ପୁରୁଷଙ୍କର ଗର୍ଭରେ ବିଚରଣ କରି ବହୁ ଅଲୌକିକ ଦର୍ଶନ କରି ମଧ୍ୟ ଆତ୍ମଦର୍ଶନ ଲାଭ କରି ପାଇଲେ ନାହିଁ । ଦୀର୍ଘ କାଳ ପରେ ସେହି ପୁରୁଷ ରୂପୀ ଭଗବାନଙ୍କ ଗର୍ଭରୁ ମାର୍କଣ୍ଡେୟ ଋଷି ବାହାରି ଭଗବାନଙ୍କୁ ଆତ୍ମଜ୍ଞାନ ଲାଭ ନିମନ୍ତେ ପ୍ରାର୍ଥନା କଲେ । ମାର୍କଣ୍ଡେୟ ଋଷିଙ୍କ ପ୍ରାର୍ଥନାରେ ଭଗବାନ ବିଷ୍ଣୁ କହିଲେ ଶ୍ରୀକ୍ଷେତ୍ର ମୋର ଅତିପ୍ରିୟ । ଏଠାରେ ସୃଷ୍ଟି ଓ ପ୍ରଳୟ ନାହିଁ । ଏଠାରେ ବାସ କଲେ ପୁନର୍ଜନ୍ମ ହୁଏ ନାହିଁ । ଭଗବାନ ବିଷ୍ଣୁଙ୍କଠାରୁ ଭକ୍ତବାଣୀ ଶୁଣି ମାର୍କଣ୍ଡେୟ ଋଷି ଶ୍ରୀକ୍ଷେତ୍ରରେ ବାସ କରିବାକୁ ନିଷ୍ପତ୍ତି ନେଲେ । ସ୍କନ୍ଦପୁରାଣରେ ବର୍ଣିତ ହୋଇଛି ଯେ , ସେ ବଟପତ୍ରଶାୟୀ ଭଗବାନ ବିଷ୍ଣୁ କହିଲେ , ମହାପ୍ରଳୟ ପର୍ଯ୍ୟନ୍ତ ମୁଁ ଏହି ପବିତ୍ର କ୍ଷେତ୍ରରେ ଅବସ୍ଥାନ କରିବି । ମହାପ୍ରଳୟ ପରେ ତୁମ୍ଭ ପାଇଁ ଗୋଟିଏ ନିତ୍ୟତୀର୍ଥ ତିଆରି କରିବି । ଏହି ତୀର୍ଥ ତୀରରେ ରହି ଯେ ମୋର ଦ୍ବିତୀୟ ତନୁ ଶିବଙ୍କର ଆରାଧନା କରିବ , ସେ ହେବ ମୃତ୍ୟୁଞ୍ଜୟ। ଶ୍ରୀଭଗବାନ ବିଷ୍ଣୁଙ୍କ ଶ୍ରୀମୁଖରୁ ଏହି କଥା ମାର୍କଣ୍ଡେୟ ମୁନି ଶୁଣି ବଟ ବୃକ୍ଷର ବାୟୁକୋଣରେ ହରିଙ୍କର ଗର୍ଭଟିଏ ତିଆରି କଲେ ଏବଂ ସେହି ଗର୍ଭ ପାଖରେ ରହି ଶିବଙ୍କୁ ଆରାଧନା କଲେ । ଯାହା ଫଳରେ ସେ ମୃତ୍ୟୁକୁ ଜୟ କରିଥିଲେ । ସେହି ଦିନଠାରୁ ସେ ଗର୍ଭଟି ମାର୍କଣ୍ଡେୟ ପୁଷ୍କରିଣୀ ନାମରେ ପରିଚିତ ହୋଇ ସେହି ପୁଷ୍କରିଣୀ କୂଳସ୍ଥ ଶିବ ମାର୍କଣ୍ଡେୟଶ୍ଵର ନାମରେ ପୂଜିତ ହୋଇ ଆସୁଛନ୍ତି । ସ୍କନ୍ଦ ପୁରାଣରେ ଆହୁରି ମଧ୍ୟ ବର୍ଣ୍ଣିତ ହୋଇଛି ଯେ ଏହି ପୁଷ୍କରିଣୀରେ ସ୍ନାନକରି ଶିବ ଦର୍ଶନ କଲେ ଅଶ୍ଵମେଧର ଫଳ ମିଳିଥାଏ । ତେଣୁ ପୁରୁଷୋତ୍ତମ ମହାତ୍ୟଂ ଅନୁସାରେ ସର୍ବପ୍ରଥମେ ଏହି ସ୍ଥାନରୁ ପଞ୍ଚକୋଷ ପରିକ୍ରମା ଆରମ୍ଭ ହେବାର ବିଧାନ ରହିଛି।
ବର୍ତ୍ତମାନ କିନ୍ତୁ କେହିକେହି ଶ୍ରୀମନ୍ଦିର ସିଂହଦ୍ଵାର ବା ମହୋଦଧି କୂଳସ୍ଥ ସ୍ୱର୍ଗଦ୍ୱାର ଠାରୁ ଏହି ପରିକ୍ରମା ଆରମ୍ଭ କରି ଶ୍ରୀ ଲୋକନାଥ, ଅଠର ନଳା, ଇନ୍ଦ୍ରଦ୍ୟୁମ୍ନ ସରୋବର, ସିଦ୍ଧ ମହାବୀର, ଚକ୍ରତୀର୍ଥ, ଦରିଆ ମହାବୀର, ସ୍ୱର୍ଗଦ୍ୱାର ଦେଇ ଶ୍ରୀମନ୍ଦିର ଚତୁଃପାଶ୍ୱ ପରିକ୍ରମା କରି ଏହି ଯାତ୍ରା ସମାପନ କରିଥାନ୍ତି।