ଆସୁଛି ବାତ୍ୟା 'ମାଇଚୌଙ୍ଗ', ସୋମବାର ଆନ୍ଧ୍ର ଉପକୂଳ ଛୁଇଁବ, ଓଡ଼ିଶା ଉପରେ କେମିତି ରହିବ ପ୍ରଭାବ? | News Room Odisha

ଆସୁଛି ବାତ୍ୟା ‘ମାଇଚୌଙ୍ଗ’, ସୋମବାର ଆନ୍ଧ୍ର ଉପକୂଳ ଛୁଇଁବ, ଓଡ଼ିଶା ଉପରେ କେମିତି ରହିବ ପ୍ରଭାବ?

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଶନିବାର ଗଭୀର ଅବପାତରେ ପରିଣତ ହୋଇଛି । ଏହା‌ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ବାତ୍ୟା ସୋମବାର ନେଲୋର ଓ ମଛଲିପଟନମ୍ ମଧ୍ୟରେ ଆନ୍ଧ୍ର ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି ।

ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ସିଧାସଳଖ ନ ପଡ଼ିଲେ ମଧ୍ୟ ମଧ୍ୟ ସୋମବାର ଓ ମଙ୍ଗଳବାର ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି, ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଗଭୀର ଅବପାତରେ ପରିଣତ ହୋଇଛି |

ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ।

ଏହା ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଡିସେମ୍ବର ୪ ସୁଦ୍ଧା ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳ ଓ ସଂଲଗ୍ନ ଉତ୍ତର ତାମିଲନାଡୁ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ ।

ଆଇଏମଡି କହିଛି, ପରବର୍ତ୍ତୀ ସମୟରେ ଏହା ଉତ୍ତର ଆଡ଼କୁ ସମାନ୍ତରାଳ ଭାବେ ଗତି କରି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବ । ଡିସେମ୍ବର ୫ରେ ଏହା ବାତ୍ୟାରେ ପରିଣତ ହୋଇ ନେଲୋର ଏବଂ ମଛଲିପଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୮୦-୯୦ କିଲୋମିଟର ବେଗରେ ପବନ ବହିବ । ପବନର ସର୍ବାଧିକ ବେଗ ୧୦୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ଆଇଏମଡି କହିଛି।

ବାତ୍ୟାରେ ପରିଣତ ହେଲେ ଏହାକୁ ‘ମାଇଚୌଙ୍ଗ’ କୁହାଯିବ। ବାତ୍ୟାର ଏହି ନାଁ ମିଆଁମାର ଦେଇଛି ।

ବାତ୍ୟାର ପ୍ରଭାବରେ ଡିସେମ୍ବର ୪ ଓ ୫ରେ ଓଡିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଡିସେମ୍ବର ୫ରେ ଉପକୂଳବର୍ତ୍ତୀ ଜିଲ୍ଲା ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁରରେ ଘଣ୍ଟା ପ୍ରତି ୩୫ ରୁ ୪୫ କିଲୋମିଟର ପବନ ବହିପାରେ ।

ସମ୍ଭାବ୍ୟ ବାତ୍ୟା ଦୃଷ୍ଟିରୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ୭ ଉପକୂଳବର୍ତ୍ତୀ ଜିଲ୍ଲା – ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମକୁ ଆଲର୍ଟ କରିଛନ୍ତି।

ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବ । ପରବର୍ତ୍ତୀ ସୂଚନା ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।