ଡିଏମକେ ସାଂସଦଙ୍କ ବିବାଦୀୟ ମନ୍ତବ୍ୟ, ହିନ୍ଦୀ ରାଜ୍ୟଗୁଡ଼ିକୁ କହିଲେ 'ଗୋମୁତ୍ର' ରାଜ୍ୟ | News Room Odisha

ଡିଏମକେ ସାଂସଦଙ୍କ ବିବାଦୀୟ ମନ୍ତବ୍ୟ, ହିନ୍ଦୀ ରାଜ୍ୟଗୁଡ଼ିକୁ କହିଲେ ‘ଗୋମୁତ୍ର’ ରାଜ୍ୟ

ନୂଆଦିଲ୍ଲୀ: ଡିଏମକେ ସାଂସଦ ଡିଏନଭି ସେନ୍ଥିଲ କୁମାର ମଙ୍ଗଳବାର ସଂସଦରେ ଉତ୍ତର ଭାରତ ରାଜ୍ୟ ଗୁଡ଼ିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ ହିନ୍ଦୀଭାଷୀ ରାଜ୍ୟ ଗୁଡ଼ିକୁ ‘ଗୋମୁତ୍ର’ ରାଜ୍ୟ ରୂପେ ଅଭିହିତ କରି ବିଜେପି କେବଳ ଏହି ରାଜ୍ୟ ଗୁଡ଼ିକରେ ନିର୍ବାଚନ ଜିତୁଛି ବୋଲି କହିଛନ୍ତି ଡିଏମକେ ସାଂସଦ ।

ନିକଟରେ ଅନୁଷ୍ଠିତ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଥିଲା ।

ଲୋକସଭାରେ ଜମ୍ମୁ-କାଶ୍ମୀର ସହ ଜଡ଼ିତ ଦୁଇଟି ବିଲ୍ ଉପରେ ଚର୍ଚ୍ଚାରେ ଭାଗ ନେଇ ସେନ୍ଥିଲ କୁମାର କହିଥିଲେ, ବିଜେପିର ଶକ୍ତି କେବଳ ହିନ୍ଦୀ ରାଜ୍ୟରେ ନିର୍ବାଚନ ଜିତିବା, ଯାହାକୁ ଆମେ ସାଧାରଣତଃ ‘ଗୋମୁତ୍ର’ ରାଜ୍ୟ ବୋଲି କହିଥାଉ ।

ସେନ୍ଥିଲ କୁମାର ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଭଳି ଦକ୍ଷିଣ ରାଜ୍ୟ ଗୁଡ଼ିକରେ ବିଜେପିର ବିଫଳତା ସମ୍ପର୍କରେ ବି ଆଲୋକପାତ କରିଥିଲେ।

ସେ କହିଥିଲେ, ଆପଣ(ବିଜେପି) ସେଠାରେ ପାଦ ରଖିପାରିବେ ନାହିଁ କି ସମଗ୍ର ଦକ୍ଷିଣ ଭାରତକୁ ନିୟନ୍ତ୍ରଣ କରିବାର ସ୍ୱପ୍ନ ଦେଖି ପାରିବେ ନାହିଁ । ହେଲେ ଆପଣ ପରୋକ୍ଷରେ କ୍ଷମତା ହାତେଇବାକୁ ଯଦି ଏହି ସବୁ ରାଜ୍ୟଗୁଡିକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରନ୍ତି ତେବେ ଆମେ ଆଶ୍ଚର୍ଯ୍ୟ ହେବୁ ନାହିଁ ।

ସେନ୍ଥିଲ କୁମାରଙ୍କ ଏଭଳି ମନ୍ତବ୍ୟରେ ବିଜେପି ତୀବ୍ର ଆପତ୍ତି ପ୍ରକାଶ କରିଥିଲା । ଦଳ କେବଳ ଡିଏମକେ ନେତାଙ୍କୁ ନିନ୍ଦା କରିନଥିଲା ବରଂ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲା । ରାହୁଲ ଏପରି ମନ୍ତବ୍ୟକୁ ସମର୍ଥନ କରନ୍ତି କି ବୋଲି ବିଜେପି ପ୍ରଶ୍ନ କରିଥିଲା ।