ଲଳିତ କଳା ଏକାଡ଼େମୀ ପକ୍ଷରୁ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ | News Room Odisha

ଲଳିତ କଳା ଏକାଡ଼େମୀ ପକ୍ଷରୁ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ

ବରଗଡ଼: ଓଡ଼ିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟ ଓ ଜିଲ୍ଲା ପ୍ରଶାସନ ବରଗଡ଼ ସହଯୋଗରେ ଜିଲ୍ଲାରେ ଚିତ୍ରକଳାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ଵାରା ସଂଗୃହୀତ ବହୁ ବରିଷ୍ଠ ଓ ଯୁବ ଶିଳ୍ପୀଙ୍କ ଚିତ୍ରକଳାଗୁଡିକୁ ନେଇ ଏକ ଭ୍ରାମ୍ୟମାଣ ପ୍ରଦର୍ଶନୀର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଦର୍ଶନୀକୁ ଅତିରିକ୍ତ ଜିଲ୍ଲାପାଳ ଲଲାଟ ଲୁହା ଉଦଘାଟନ କରିଥିଲେ । ଓଡ଼ିଶା ଲଳିତ କଳାର ବହୁଳ ପ୍ରଚାର ଓ ପ୍ରସାର ପାଇଁ ତଥା ଶିଳ୍ପୀମାନଙ୍କର କଳାକୃତି ଯେପରି ରାଜ୍ୟର ଜନସାଧାରଣ, ଅନ୍ୟ ଶିଳ୍ପୀ ତଥା ଛାତ୍ରଛାତ୍ରୀମାନେ ଦେଖିବାର ସୁଯୋଗ ପାଇପାରିବେ ଓ ଓଡ଼ିଶାର ସବୁ ଜିଲ୍ଲାରେ ଚିତ୍ରକଳାର ପ୍ରଚାରପ୍ରସାର କିପରି ଅଧିକ ହୋଇପାରିବ ସେଥିପାଇଁ ଏକାଡେମୀ ତରଫରୁ ଏକ ପ୍ରୟାସ କରାଯାଉଛି ।

ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାର ଖ୍ୟାତନାମା ବରିଷ୍ଠ ଚିତ୍ର ଶିଳ୍ପୀ ଗୋକୁଳ ବିହାରୀ ପଟ୍ଟନାୟକ, ମୁରଲୀଧର ଟାଲି ,ଗୋପାଳ କାନୁନଗୋ, ନିତ୍ୟାନନ୍ଦ ମହାପାତ୍ର ,ଦୁର୍ଗାପ୍ରସାଦ ଦାସ ,ଗୋକୁଳନନ୍ଦ ଦାସ ,ଦୀପ୍ତିପ୍ରକାଶ ମହାନ୍ତି, ସରୋଜ ମାହାପାତ୍ର, ଭାଗବତ ମହାରଣା ଓ ବିଜୟ କୁମାର ପରିଡା ପ୍ରମୁଖଙ୍କ ସହ ବହୁ ଯୁବ ଚିତ୍ରଶିଳ୍ପୀଙ୍କ ମୋଟ ୪୦ ଟି ଚିତ୍ରକଳା ସ୍ଥାନ ପାଇଛି ।

ଉକ୍ତ ପ୍ରଦର୍ଶନୀ ୯ ଡିସେମ୍ବର ପର୍ଯ୍ୟନ୍ତ ପ୍ରତ୍ୟହ ଦିନ ୧୧ ଘଟିକାରୁ ସନ୍ଧ୍ୟା ୫.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ଉଦ୍‌ଘାଟନୀ ଉତ୍ସବକୁ ଓଡ଼ିଶା ଲଳିତ କଳା ଏକାଡେମୀର ସଦସ୍ୟ ଚିତ୍ରଶିଳ୍ପୀ ଅଶୋକ ଦାଶ ପରିଚାଳନା କରିଥିଲେ।