ଲୁଟ୍ ଡ୍ରାମା କରିଥିବା ଡ୍ରାଇଭର୍ ଗିରଫ, ବେପାରୀ ଫେରିପାଇଲେ ହଡ଼ପ ଅର୍ଥ | News Room Odisha

ଲୁଟ୍ ଡ୍ରାମା କରିଥିବା ଡ୍ରାଇଭର୍ ଗିରଫ, ବେପାରୀ ଫେରିପାଇଲେ ହଡ଼ପ ଅର୍ଥ

ବ୍ରହ୍ମପୁର: ଲୁଟେରାମାନେ ବନ୍ଧୁକ ମୁନରେ ଟାଟା ଏସ୍ ଗାଡ଼ି ଡ୍ରାଇଭରକୁ ଭୟଭୀତ କରାଇ ୨ ଲକ୍ଷ ୧୦ ହଜାର ଟଙ୍କା ଲୁଟିନେଲେ। ଜଣେ ମହିଳାଙ୍କ ସମେତ ତାଙ୍କର ୬ ଜଣ ସହଯୋଗୀ ନିଛାଟିଆ ରାସ୍ତାରେ ଏଭଳି କାଣ୍ଡ ଘଟାଇଥିଲେ। ଗତ ସୋମବାର ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଗୋଳନ୍ଥରା ଥାନାରେ ଯେତେବେଳେ ଏଭଳି ଅଭିଯୋଗ ହୋଇଥିଲା ସେତେବେଳେ ପୋଲିସ ତତ୍ପରତା ଦେଖାଇ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହେଲେ ତଦନ୍ତ ଯେତେ ଆଗେଇଲା ସତ ସେତେ ପଦାକୁ ଆସିଲା। ଶେଷରେ ଜଣାପଡ଼ିଲା ଯେ ଖୋଦ୍ ଅଭିଯୋଗକାରୀ ଡ୍ରାଇଭର୍ ମିଛ କହୁଛି। କୌଣସି ଲୁଟପାଟ ହୋଇନାହିଁ, ବରଂ ନିଜେ ଏତେ ଟଙ୍କା ହରଣଚାଳ କରିବା ପାଇଁଁ ଏହି ଲୁଟ ଡ୍ରାମା କରିଥିଲା। ଏହା ଜଣାଯିବା ପରେ ପୋଲିସ ଅଭିଯୁକ୍ତ ଚାଳକ ପୁରୁଣା ବ୍ରହ୍ମପୁର ରାଧକାନ୍ତ ସାହିର ଡ୍ରାଇଭର ବିରହ ବସନ୍ତ ଶତପଥୀକୁ ଗିରଫ କରି କୋର୍ଟଚାଲାଣ କରିଛି। ଏଥିସହ ହଡ଼ପ କରାଯାଇଥିବା ୨.୧୦ ଲକ୍ଷ ଟଙ୍କା ଉଦ୍ଧାର କରି ପ୍ରକୃତ ମାଲିକ ବ୍ରହ୍ମପୁର ପାଣି ଟାଙ୍କି ରୋଡ୍ ସ୍ଥିତ ବେହେରା ଟ୍ରେଡର୍ସ ଦୋକାନୀ ପ୍ରଦୀପ କୁମାର ବେହେରାଙ୍କୁ ହସ୍ତାନ୍ତର କରିଛି। ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍ ଙ୍କ ତତ୍ତ୍ଵାବଧାନରେ ଗୋଳନ୍ଥରା ଥାନା ପୋଲିସ ଏହି ଲୁଟ୍ ଡ୍ରାମାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି।

ଏସପି କାର୍ଯ୍ୟାଳୟରୁ ଜାରି ପ୍ରେସ୍ ବିଜ୍ଞପ୍ତି ମୁତାବକ ଡ୍ରାଇଭର୍‌ ବିରହ ବସନ୍ତ ଗତ ମଙ୍ଗଳବାର ଗୋଳନ୍ଥରା ଥାନାରେ ପହଞ୍ଚି ଅଭିଯୋଗ କରିଥିଲା। ତାର ଅଭିଯୋଗ ଅନୁଯାୟୀ ସୋମବାର ସେ ଉପରୋକ୍ତ ଦୋକାନରୁ ଓଡି୦୯ଜେଡ୍ ୩୪୩୮ ନମ୍ବର ବିଶିଷ୍ଟ ଏକ ଟାଟା ଏସ୍ ଗାଡି ଯୋଗେ ଲୁହା ପାଇପ୍ ଧରି ଜୟନ୍ତୀପୁର ଯାଇଥିଲା। ଫେରିବା ବେଳେ ରାତି ୯ ଟାରେ ବ୍ରହ୍ମପୁର- ଚିକିଟି ରାସ୍ତାର ଘଟକେଶ୍ବର ନିକଟରେ ଜଣେ ମହିଳା ଗାଡ଼ି ଅଟକାଇ ଥିଲେ।ବିରହ ବସନ୍ତ ଗାଡ଼ି ଅଟକାଇବା ମାତ୍ରେ ପୂର୍ବରୁ ଛପି ରହିଥ‌ିବା ୬ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସେ ଲୁହା ପାଇପ୍ ବାବଦରେ ଆଦାୟ କରିଥିବା ଟଙ୍କା ଲୁଟି ନେଇଥିଲେ। ତା’ର ଅଭିଯୋଗକୁ ଭିତ୍ତି କରି ଥାନାରେ କେସ୍ ନମ୍ବର ୬୩୩/୨୩ ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ମନରେ ସନ୍ଦେହ ଉପୁଜିଥିଲା ଯେ ବିରହ ବସନ୍ତ ଏତେ ଟଙ୍କା ଧରିଥିବା ଓ ସେ ଉକ୍ତ ନିର୍ଜନପ୍ରାୟ ରାସ୍ତାରେ ରାତିରେ ଏକାକୀ ଆସୁଥିବା ଲୁଟେରାମାନେ କିପରି ଜାଣିବାକୁ ପାଇଥିଲେ ଯେ ଲୁଟ୍ ଯୋଜନା କରି ଟଙ୍କା ନେଇଯିବାରେ ସମର୍ଥ ହୋଇଥିଲେ। ଏହି ସନ୍ଦେହକୁ ଆଧାର କରି ତନାଘନା ଚଳାଇଥିଲା ପୋଲିସ। ଶେଷରେ ସତ୍ୟତା ପଦାକୁ ଆଣିବାରେ ସମର୍ଥ ହୋଇଥିଲା ପୋଲିସ। ଡ୍ରାଇଭର୍ ବିରହ ବସନ୍ତ ଯାହା ଅଭିଯୋଗ କରିଥିଲା ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସ୍ପଷ୍ଟ ହେବା ପରେ ପୋଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଛି। ତା ଠାରୁ ୨ ଲକ୍ଷ ୧୦ ହଜାର ଟଙ୍କା ଉଦ୍ଧାର କରି ହାର୍ଡୱେର ଦୋକାନ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ମାଲିକ ପ୍ରଦୀପ କୁମାର ଏଥିପାଇଁ ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍ ଓ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।