ଜୀବନ୍ତ ପାଙ୍ଗୋଲିନ୍ ଉଦ୍ଧାର, ୨ ଗିରଫ | News Room Odisha

ଜୀବନ୍ତ ପାଙ୍ଗୋଲିନ୍ ଉଦ୍ଧାର, ୨ ଗିରଫ

ବ୍ରହ୍ମପୁର: ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ୍) ଶନିବାର ସକାଳେ ୩୨୬ ନମ୍ବର ଜାତୀୟ ରାଜପଥରେ ଛକି ରହିଥିଲା। ବ୍ରହ୍ମପୁର- ରାୟଗଡ଼ା ରାସ୍ତାର ତଥା ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଆଖୁସିଙ୍ଗି ଛକରେ ବନ୍ୟଜନ୍ତୁ କାରବାର ନେଇ ସୂଚନା ମିଳିଥିଲା। ଏସଟିଏଫ୍ ଚଢ଼ାଉ କରି ଗୋଟିଏ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି। ଏହି କାରବାରରେ ସମ୍ପୃକ୍ତି ଅଭିଯୋଗରେ ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅନ୍ତର୍ଗତ ବୁର୍ଦୁଗୁଡା ଗାଁର ସାମସନ୍ ରଇତ (୪୫) ଏବଂ ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ତୁଆଗୁଡି ଗ୍ରାମର ମମଲ ଶବର (୨୮)କୁ ଗିରଫ କରାଯାଇଛି। ଏସଟିଏଫ୍ ଥାନା କେସ୍ ନମ୍ବର ୨୯/୨୦୨୩ (ବନ୍ୟପ୍ରାଣୀ ଆଇନ) ଅଧୀନରେ ୨ ଅଭିଯୁକ୍ତଙ୍କୁ ଗୁଣପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି। ରାୟଗଡ଼ା ଡିଏଫଓଙ୍କୁ ବଜ୍ରକାପ୍ତାକୁ ହସ୍ତାନ୍ତର କରାଯାଇଛି। ଏହି ବନ୍ୟ ପ୍ରାଣୀଟି ସିଡ୍ୟୁଲ୍-୧ ଅନ୍ତର୍ଗତ ସଂରକ୍ଷିତ ଜୀବ ଅଟେ। ଏଭଳି ବେଆଇନ ବନ୍ୟପ୍ରାଣୀ ଚୋରାଚାଲାଣ ବିରୋଧରେ ଏସଟିଏଫ୍ ଅଭିଯାନ ଜାରି ରହିଛି।