ରହସ୍ୟମୟ ମନ୍ଦିର : ମନ୍ଦିର ଭିତରେ ଅଧିଷ୍ଠିତ ବିଗ୍ରହଙ୍କ ଶରୀରରୁ ବାହାରୁଛି ଶୀତଳ ପବନ | News Room Odisha

ରହସ୍ୟମୟ ମନ୍ଦିର : ମନ୍ଦିର ଭିତରେ ଅଧିଷ୍ଠିତ ବିଗ୍ରହଙ୍କ ଶରୀରରୁ ବାହାରୁଛି ଶୀତଳ ପବନ

ଓଡ଼ିଶାରେ ରହିଛି ଅନେକ ରହସ୍ୟମୟ ମନ୍ଦିର l ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ଏହି ରହସ୍ୟ ପଛର ସତ୍ୟତା ଖୋଜି ବାହାର କରିପାରିନାହାଁନ୍ତି। ସେଥିମଧ୍ୟରୁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଅବସ୍ଥିତ ଶିବ ମନ୍ଦିର ଅନ୍ୟତମ। ଆଜି ବି ରହସ୍ୟ ଭିତରେ ରହିଯାଇଛି ଏହି ମନ୍ଦିର ଭିତର କିଛି କଥା।

ସମସ୍ତେ ଜାଣନ୍ତି ଓଡିଶାର ଟିଟିଲାଗଡ଼ ହେଉଛି ସବୁଠାରୁ ଉତପ୍ତ ସହର। ସେଥିପାଇଁ ଟିଟିଲାଗଡ଼କୁ ତତଲାଗଡ଼ ମଧ୍ୟ କୁହାଯାଏ। ଟିଟିଲାଗଡ଼ କୁମୁଡା ପାହାଡ଼ରେ ରହିଛି ଶିବ-ପାର୍ବତୀଙ୍କ ଏକ ଭବ୍ୟ ମନ୍ଦିର। ପାହାଡ ଉପରେ ଏହି ମନ୍ଦିରଟି ଥିବାରୁ ଏଠାରେ ଭୀଷଣ ଗରମ ହୁଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ମନ୍ଦିର ବାହାରେ ଯେତେ ଗରମ ଲାଗୁଥିଲେ ବି ମନ୍ଦିର ଭିତରଟା ଏତେ ଶୀତଳ ଅନୁଭୁତ ହୋଇଥାଏ ଯାହା ଏ.ସି ଭଳି ଥଣ୍ଡାଲାଗେ। ଭିତରେ ଟିକିଏ ହେଲେ ଗରମର ପ୍ରଭାବ ଦେଖିବାକୁ ମିଳିନଥାଏ। ଖରାଦିନେ ବାହାରେ ଏତେ ଗରମ ଯେ ଜଣେ କ୍ଷଣେ ମାତ୍ର ଛିଡା ହେବା ବି ଅସମ୍ଭବ। କିନ୍ତୁ ମନ୍ଦିର ଭିତର କୁ ପ୍ରବେଶ କରୁକରୁ ଖୁବ ଶିତଳତା ଅନୁଭୂତ ହୋଇଥାଏ।

ଏସମ୍ପର୍କରେ ମନ୍ଦିର ପୂଜାରୀ କୁହନ୍ତି ଯେ, ମନ୍ଦିରରେ ସ୍ଥାପିତ ଦେବାଦେବୀଙ୍କ ପ୍ରତିମା ଯୋଗୁଁ ଭିତରେ ଶିତଳତା ଅନୁଭୂତ ହେଉଛି।ମନ୍ଦିର ଗର୍ଭଗୃହ ରେ ସ୍ଥାପିତ ଭଗବାନ ଶିବ ଓ ମାତା ପାର୍ବତୀଙ୍କଶ୍ରୀବିଗ୍ରହ ରୁ ଅହରହ ଶୀତଳ ପବନ ନିର୍ଗତ ହେଉଥିବାରୁ ମନ୍ଦିର ବାତାବରଣ ସମ୍ପୂର୍ଣ୍ଣ ଶୀତଳତା ରହୁଛି।ଏହି ଶୀତଳ ବାତାବରଣ କେବଳ ମନ୍ଦିର ଦ୍ୱାର ଦେଶ ଯାଏଁ ସୀମିତ। ତେବେ ଏହା ପଛରେ କଣ ରହସ୍ୟ ରହିଛି ତାକୁ ଜାଣିବାକୁ ବହୁତ ପ୍ରୟାସ ହୋଇଛି। କିନ୍ତୁ ଆଜି ଯାଏଁ ତାର ନିଷ୍କର୍ସ ବାହାରି ପାରିନାହିଁ। ଆଜି ବି ଏହା ରହସ୍ୟ ଘେର ଭିତରେ ରହିଛି । ଅବଶ୍ୟ ଅନେକ ଲୋକ ଏହାକୁ ଚମତ୍କାର କହୁଥିବା ବେଳେ କିଛି ଏହାକୁ ଏକ ଅନ୍ଧବିଶ୍ୱାସ ବୋଲି କହୁଛନ୍ତି। କିନ୍ତୁ ବାସ୍ତବରେ ପ୍ରଚଣ୍ଡ ନିଦାଘ କାଳରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବ୍ୟବହାର ବିନା ମନ୍ଦିର ଗର୍ଭଗୃହ ବରଫ ପରି ଶିତଳତା ପ୍ରଦାନ କରିବା ଏକ ରହସ୍ୟ ନୁହେଁ କି?