ମୋହନ ଯାଦବ ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ | News Room Odisha

ମୋହନ ଯାଦବ ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ଭୋପାଳ: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଫଳାଫଳ ଘୋଷଣାର‌ ୯ ଦିନ ପରେ ମଧ୍ୟ ପ୍ରଦେଶକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ଚାରି ଥରର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ପଞ୍ଚମ ଥର ସୁଯୋଗ ଦେବା ପରିବର୍ତ୍ତେ ବିଜେପି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଛି । ମୋହନ ଯାଦବ ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଆଜି ବସିଥିବା ମଧ୍ୟପ୍ରଦେଶ ବିଜେପି ବିଧାୟକ ଦଳ ବୈଠକରେ ମୋହନ ଯାଦବଙ୍କ ନାଁରେ ବାଜିଛି ମୋହର । ମୋହନ ଯାଦବ ଦକ୍ଷିଣ ଉଜ୍ଜୈନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୋହନ ଯାଦବ ସଂଘର ନିକଟତର ବୋଲି କୁହାଯାଉଛି। ସୂଚନାନୁସାରେ, ବିଜେପି ବିଧାୟକ ଦଳ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏଥିରେ ଦଳର ସବୁ ବିଧାୟକ ରାଜି ହୋଇଥିଲେ । ଛତିଶଗଡ଼ ଭଳି ମଧ୍ୟ ପ୍ରଦେଶରେ ବି ବିଜେପି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦେଇଛି ।

ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପୂର୍ବରୁ ବିଜେପି ହାଇକମାଣ୍ଡ ଆଜି ଭୋପାଳକୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଆଶା ଲାକ୍ରା ଏବଂ କେ ଲକ୍ଷ୍ମଣଙ୍କୁ ନେଇ ଏକ ପର୍ଯ୍ୟବେକ୍ଷକ ଦଳ ପଠାଇଥିଲା।

ନଭେମ୍ବର ୧୭ରେ ଅନୁଷ୍ଠିତ ୨୩୦ ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ୧୬୩ଟି ଆସନ ଜିତି ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ ସହ ଶାସନ କ୍ଷମତା ବଜାୟ ରଖିଥିଲା । କଂଗ୍ରେସ ୬୬ଟି ଆସନରେ ସୀମିତ ରହିଥିଲା । ନିର୍ବାଚନରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିନଥିଲା । ଦଳ‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ନିର୍ବାଚନ ଲଢ଼ିଥିଲା ।