ବୋରୱେଲରୁ ସୁରକ୍ଷିତ ଉଦ୍ଧାର ହେଲା ନବଜାତ : ଆଶ୍ୱସ୍ତି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଛୁଆର ଦୀର୍ଘଜୀବନ କାମନା  | News Room Odisha

ବୋରୱେଲରୁ ସୁରକ୍ଷିତ ଉଦ୍ଧାର ହେଲା ନବଜାତ : ଆଶ୍ୱସ୍ତି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଛୁଆର ଦୀର୍ଘଜୀବନ କାମନା 

ସମ୍ବଲପୁର – ଦୀର୍ଘ ୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାରକାରୀ ଦଳ ନବଜାତ ଶିଶୁକନ୍ୟାକୁ ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ସମ୍ବଲପୁର ରେଙ୍ଗାଲି ନିକଟସ୍ଥ ଲାରିପାଲିର ଏକ ୨୦ରୁ ୨୫ ଫୁଟ ଗଭୀର ବୋରୱେଲରେ ଶିଶୁଟି ଖସି ପଡ଼ିଥିଲା । ତାକୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ନବଜାତ ଶିଶୁ ସୁରକ୍ଷିତ ଉଦ୍ଧାର ହୋଇଥିବାରୁ ସାରା ରାଜ୍ୟ ଆଶ୍ୱସ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ଉଦ୍ଧାର ଶିଶୁର ଦୀର୍ଘଜୀବନ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ତାକୁ ଭଗବାନ ଆଶୀର୍ବାଦ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନବଜାତର ସୁରକ୍ଷିତ ଉଦ୍ଧାର ପାଇଁ ଓଡ୍ରାଫ, ଅଗ୍ନିଶମ ବାହିନୀ, ଜିଲ୍ଲା ପ୍ରଶାସନ ଓ ପୋଲିସ ଏବଂ ମେଡିକାଲ ଟିମକୁ ଅଭିନନ୍ଦନ ଜଣାଇବା ସହ ସମ୍ମିଳିତ ଉଦ୍ୟମ ପାଇଁ ପ୍ରଶଂସା କରିଛନ୍ତି। ନବଜାତ ଶିଶୁର ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଘଟଣା ସ୍ଥଳକୁ ଏକ ସ୍ୱତନ୍ତ୍ର ବିମାନରେ ଉଦ୍ଧାର କାର୍ଯ୍ୟ ପାଇଁ ଉପକରଣ ଓ ସରଞ୍ଜାମ ପଠାଯାଇଥିଲା।