ପାର୍ଲାମେଣ୍ଟ ଆକ୍ରମଣର ବାର୍ଷିକୀରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ଦର୍ଶକ ଗ୍ୟାଲେରୀରୁ ଲୋକସଭାରେ ପଶିଲେ ଦୁଇ ଯୁବକ  | News Room Odisha

ପାର୍ଲାମେଣ୍ଟ ଆକ୍ରମଣର ବାର୍ଷିକୀରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ଦର୍ଶକ ଗ୍ୟାଲେରୀରୁ ଲୋକସଭାରେ ପଶିଲେ ଦୁଇ ଯୁବକ 

ନୂଆଦିଲ୍ଲୀ – ଆଜି ପାର୍ଲାମେଣ୍ଟ ଆକ୍ରମଣକୁ ୨୨ ବର୍ଷ ପୂରଣ ହୋଇଥିବା ବେଳେ ପାର୍ଲାମେଣ୍ଟ ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟି ଦେଖାଯାଇଛି । ସୁରକ୍ଷା ବଳୟ ଭେଦ କରି ଲୋକସଭାରେ ଦୁଇ ଯୁବକ ପଶି ଯାଇଥିବାରୁ ହଇଚଇ ସୃଷ୍ଟି ହୋଇଥିଲା । ସେମାନଙ୍କ ହାତରେ କିଛି ଗ୍ୟାସ ନିର୍ଗତ ସାମଗ୍ରୀ ବି ଥିବା ଜଣାଯାଇଛି। ସେମାନଙ୍କ ପରିଚୟ ମିଳିପାରିନି । ଆଜି ଲୋକସଭାରେ ଗୃହକାର୍ଯ୍ୟ ଚାଲିଥିବା ବେଳେ ହଠାତ୍‌ ଦର୍ଶକ ଗ୍ୟାଲେରିରୁ ୨ ଜଣ ଯୁବକ ଭିତରକୁ ଡେଇଁ ପଡ଼ିଥିଲେ। ସେତେବେଳେ ବହୁ ସାଂସଦ ଉପସ୍ଥିତ ଥିଲେ।

ସେମାନେ କିଛି ଗ୍ୟାସ ନିର୍ଗତ ସାମଗ୍ରୀ ଫିଙ୍ଗିବାକୁ ଉଦ୍ୟମ କରିଥିଲେ। ଏହାଦେଖି ସେମାନଙ୍କୁ କାବୁ କରିବାକୁ ଲୋକସଭା ସୁରକ୍ଷା କର୍ମୀ ଆସି ଯାଇଥିଲେ। ସେମାନଙ୍କୁ ନିୟନ୍ତ୍ରଣକୁ ଆଣିବାକୁ ଟିୟର୍ ଗ୍ୟାସ୍‌ର ପ୍ରୟୋଗ କରିଥିଲେ। ମାତ୍ର କିଛି ସାଂସଦ ସେମାନଙ୍କୁ କାବୁ କରି ଉଭୟଙ୍କୁ ଲୋକସଭା ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ। ଏହି ଘଟଣା ପରେ ବାଚସ୍ପତି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବି ରଖିଥିଲେ । ଉଭୟଙ୍କୁ ପାର୍ଲାମେଣ୍ଟ ଥାନାକୁ ନିଆଯାଇଛି ସେଠାରେ ସେମାନଙ୍କୁ ଘନଘନ ପଚରାଉଚରା କରାଯାଉଛି।