ଲକ୍ଷ୍ମୀ ବସରେ ଏଣିକି କ୍ୟାସଲେସ ପେମେଣ୍ଟ , ୟୁପିଆଇ କ୍ୟୁଆର କୋଡ୍ ର ଶୁଭାରମ୍ଭ  | News Room Odisha

ଲକ୍ଷ୍ମୀ ବସରେ ଏଣିକି କ୍ୟାସଲେସ ପେମେଣ୍ଟ , ୟୁପିଆଇ କ୍ୟୁଆର କୋଡ୍ ର ଶୁଭାରମ୍ଭ 

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସରେ ଯାତାୟତ ବେଳେ କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ‘ୟୁପିଆଇ କ୍ୟୁଆର କୋଡ’ର ପ୍ରଚଳନ ଆରମ୍ଭ କରାଯାଇଛି । ଏହାଦ୍ୱାରା ଯାତ୍ରୀମାନେ ସୁବିଧାରେ କ୍ୟୁଆର କୋଡ ସ୍କାନ କରି ବସ୍ ଭଡା ଦେଇପାରିବେ । ଏହି ବ୍ୟବସ୍ଥାର ଶୁଭାରମ୍ଭ କରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ ଓଏସ୍ଆରଟିସିର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଆଧାରରେ ବିକଶିତ ଏହି କ୍ୟୁଆର କୋଡର ବ୍ୟବହାର ଯାତ୍ରୀମାନଙ୍କ ଯାତାୟତକୁ ସୁଗମ କରିବ ବୋଲି ପ୍ରକାଶ କରିଥିଲେ । ଏଥିରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦିଆଯାଇଥିବା ସଂପର୍କରେ ଆଲୋକପାତ କରି ସେ ‘ଲକ୍ଷ୍ମୀ ’ବସରେ କ୍ୟୁଆର କୋଡର ସୁବିଧା କିପରି ଯାତ୍ରୀ ପରିବହନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ, ସେ ସଂପର୍କରେ ଆଲୋଚନା କରିଥିଲେ ।

ଓଏସଆରଟିସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଦିପ୍ତେଶ ପଟ୍ଟନାୟକ ଏହି ଅବସରରେ କହିଛନ୍ତି ଯେ, ‘ଲକ୍ଷ୍ମୀ କ୍ୟୁଆର କୋଡ’ର ଶୁଭାରମ୍ଭ ସାର୍ବଜନୀନ ପରିବହନ ସେବା ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚାଉଛି । ଜନସାଧାରଣଙ୍କୁ ସହଜ ଯାତ୍ରା ଅନୁଭୂତି ପାଇଁ ଡିଜିଟାଲ୍ ସମାଧାନ ପଦ୍ଧତି ଗ୍ରହଣ ସହ ଏହା ଓଡ଼ିଶା ସରକାରଙ୍କ ୫-ଟି ରୂପାନ୍ତରଣ ଉପକ୍ରମ ସହିତ ସମ୍ପୂର୍ଣ୍ଣ ଭାବେ ଯୋଡି ହୋଇଛି ବୋଲି ସେ ପ୍ରକାଶ କରିଥିଲେ ।

ପରିବହନ କମିଶନର ଅମିତାଭ ଠାକୁର ଏହି ଅଭିନବ ପ୍ରୟାସ ସମ୍ପର୍କରେ କହିଛନ୍ତି ଯେ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଏବଂ ଏଚଡିଏଫସି ମଧ୍ୟରେ ଭାଗିଦାରିତା ଏହି ପେମେଣ୍ଟ ପଦ୍ଧତିକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଲକ୍ଷ୍ମୀ କ୍ୟୁଆର କୋଡ୍ ସାହାଯ୍ୟରେ ଲୋକମାନଙ୍କ ପାଇଁ ପେମେଣ୍ଟ ପ୍ରକ୍ରିୟାକୁ ସହଜ କରାଯାଇଛି ।

ପ୍ରକାଶ ଥାଉକି, ସହଜ ବ୍ୟବହାର ଯୋଗ୍ୟ( ୟୁଜର ଫ୍ରେଣ୍ଡଲି) ‘ଲକ୍ଷ୍ମୀ’କ୍ୟୁଆର୍ କୋଡ୍ ଉପଭୋକ୍ତାମାନଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଦକ୍ଷ ଦେୟ ବିକଳ୍ପ ହୋଇଥିବା ବେଳେ ଏବା କାରବାର ସମୟ ହ୍ରାସ କରେ ଏବଂ ଯାତ୍ରୀଙ୍କ ନିରାପତ୍ତା ବୃଦ୍ଧି କରେ । କାର୍ଯ୍ୟକ୍ରମ ପରିଶେଷରେ ଓଏସ୍ଆରଟିସିର ସାଧାରଣ ସମ୍ପାକକ ବିଶିକେସନ ଦେହୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।