ସଂସଦ ସୁରକ୍ଷା ଭେଦ ଘଟଣା: ଯୁବକଙ୍କୁ ପାସ୍ ଜାରି କରିଥିବା ବିଜେପି ସାଂସଦ ଦେଲେ ଏଭଳି ସ୍ପଷ୍ଟୀକରଣ | News Room Odisha

ସଂସଦ ସୁରକ୍ଷା ଭେଦ ଘଟଣା: ଯୁବକଙ୍କୁ ପାସ୍ ଜାରି କରିଥିବା ବିଜେପି ସାଂସଦ ଦେଲେ ଏଭଳି ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଲୋକସଭାର ଦର୍ଶକ ଗ୍ୟାଲେରୀରୁ ଗୃହକୁ ଡେଇଁ ଧୂଆଁ ମାଡ଼ କରିଥିବା ଯୁବକଙ୍କୁ ପାସ୍ ଦେଇଥିବା ମହୀଶୂରର ବିଜେପି ସାଂସଦ ପ୍ରତାପ ସିହ୍ମା ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟି ସ୍ପଷ୍ଟୀକରଣ ରଖିଛନ୍ତି । ପ୍ରତାପ ସିହ୍ମା ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି, ମନୋରଞ୍ଜନ ଡି’ ନାମକ ଯୁବକଙ୍କ ବାପାଙ୍କୁ ସେ ଜାଣନ୍ତି । ସେ ଗତ କିଛି ମାସ ଧରି ପାସ୍ ପାଇଁ ଅନୁରୋଧ କରୁଥିଲେ। ମନୋରଞ୍ଜନଙ୍କ ଘର ମଧ୍ୟ ତାଙ୍କ ଲୋକସଭା ନିର୍ବାଚନମଣ୍ଡଳୀରେ । ପାସ୍ ପାଇଁ ସେ ତାଙ୍କ ମହୀଶୂର ଏବଂ ଦିଲ୍ଲୀ କାର୍ଯ୍ୟାଳୟକୁ ବାରମ୍ବାର ଆସୁଥିଲେ।

ମନୋରଞ୍ଜନ ସାଗର ଶର୍ମାଙ୍କୁ ତାଙ୍କ ସାଙ୍ଗ ବୋଲି କହି ତାଙ୍କ ଦିଲ୍ଲୀ କାର୍ଯ୍ୟାଳୟକୁ ଉଭୟଙ୍କ ପାଇଁ ପାସ୍ କରିବାକୁ ଅନୁରୋଧ କରିଥିଲେ । ଏହାପରେ ସେ ଉଭୟଙ୍କ ପାଇଁ ପାସ୍ ପାଇଁ ସୁପାରିଶ କରିଥିଲେ ବୋଲି ବିଜେପି ସାଂସଦ ପ୍ରତାପ ସିହ୍ମା ନିଜ ସ୍ପଷ୍ଟୀକରଣରେ କହିଛନ୍ତି ।

ସଂସଦର କାର୍ଯ୍ୟ ଦେଖିବା ପାଇଁ ସାଧାରଣ ଲୋକଙ୍କୁ ଅନୁମତି ଦିଆଯାଏ । ଏଥିପାଇଁ ଏକ ପାସ୍ ଆବଶ୍ୟକ ହୋଇଥାଏ । କେବଳ ସାଂସଦଙ୍କ ସୁପାରିଶ ଆଧାରରେ ହିଁ ପାସ୍ ଦିଆଯାଏ । ଏହି ପାସ୍ ମାଧ୍ୟମରେ ସାଧାରଣ ଲୋକ ଗୃହର ଦର୍ଶକ ଗ୍ୟାଲେରୀରେ ପ୍ରବେଶ କରନ୍ତି | ଦର୍ଶକଙ୍କ ଗ୍ୟାଲେରୀ ସଦନର ଉପରେ ଅବସ୍ଥିତ ।

ଲୋକସଭା ସାଂସଦ ପ୍ରତାପ ସିହ୍ମାଙ୍କ ସୁପାରିଶ ଆଧାରରେ ମିଳିଥିବା ପାସ୍ ଜରିଆରେ ସାଗର ଏବଂ ମନୋରଞ୍ଜନ ବୁଧବାର ଲୋକସଭାର ଦର୍ଶକ ଗ୍ୟାଲେରୀରେ ପ୍ରବେଶ କରିଥିଲେ। ପ୍ରଶ୍ନକାଳ ଚାଲିଥିବା ବେଳେ ଉଭୟ ଦର୍ଶକ ଗ୍ୟାଲେରୀରୁ ଲୋକସଭାକୁ ଡେଇଁଥିଲେ । ସେମାନଙ୍କ ମଧ୍ୟରୁ ଜଣେ ସିଟରୁ ସିଟ୍ ଡେଇଁ ଆଗକୁ ବଢ଼ିବାକୁ ଲାଗିଥିଲା ।

ଗୃହରେ ଉପସ୍ଥିତ ସାଂସଦମାନେ ତାଙ୍କୁ ଧରିବାକୁ ଚେଷ୍ଟା କଲାବେଳେ ସେ ତାଙ୍କ ଜୋତାରୁ ଧୂଆଁ କ୍ୟାନ୍ ବାହାର କରି ହଳଦିଆ ରଙ୍ଗର ଧୂଆଁ ସ୍ପ୍ରେ କରିଥିଲେ। ତେବେ କିଛି ବିରୋଧୀ ସାଂସଦ ସାହସ ଜୁଟାଇ ତାଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ । ତେବେ ଏହି ଘଟଣା ଯୋଗୁଁ ସଂସଦରେ ଆତଙ୍କ ଖେଳିଯାଇଥିଲା ।

ସଂସଦ ସୁରକ୍ଷା ଭେଦ ଘଟଣାରେ ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି‌ ବିରୋଧୀ ସାଂସଦ । ଲୋକସଭା ବାଚସ୍ପତି ବିର୍ଲାଙ୍କ ଦ୍ବାରା ଆହୂତ ସର୍ବଦଳୀୟ ବୈଠକରେ ତୃଣମୂଳ କଂଗ୍ରେସ ନେତା ସୁଦୀପ ବନ୍ଦୋପାଧ୍ୟାୟ ତାଙ୍କ ଦଳର ବହିଷ୍କୃତ ଲୋକସଭା ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଉଲ୍ଲେଖ କରି ପ୍ରତାପ ସିହ୍ମାଙ୍କ ବିରୋଧରେ ମଧ୍ୟ ଅନୁରୂପ ଆକ୍ସନ ଦାବି କରିଛନ୍ତି।