ଦୁଇ ଦୁର୍ଦ୍ଧାନ୍ତ ନକ୍ସଲଙ୍କ ଆତ୍ମସମର୍ପଣ | News Room Odisha

ଦୁଇ ଦୁର୍ଦ୍ଧାନ୍ତ ନକ୍ସଲଙ୍କ ଆତ୍ମସମର୍ପଣ

ଫୁଲବାଣୀ – ଦୁଇ ଜଣ ଦୁର୍ଦ୍ଧାନ୍ତ ନକ୍ସଲ ଆଜି ଫୁଲବାଣୀରେ ପୋଲିସ୍ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ନକ୍ସଲ ରଞ୍ଜିତ ନୈତମ ଓରଫ ବୁଟଲୁ ଓ ଉଙ୍ଗା ପୋୟାମ ଓରଫ ରାଜେଶ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଦୁଇ ନକ୍ସଲ କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼ (କେକେବିଏନ୍‌) ଡିଭିଜନର ସଦସ୍ୟ ଥିଲେ। ରଞ୍ଜିତ କେକବିଏନ ଡିଭିଜନର ଏରିଆ କମିଟି ସଦସ୍ୟ ଥିଲା । ଉଙ୍ଗା ପୋୟାମ ପାର୍ଟି ମେମ୍ବର ଥିଲେ। ଉଭୟ ରଞ୍ଜିତ ଓ ଉଙ୍ଗାଙ୍କ ଘର ଛତିଶଗଡ଼ରେ। ୨୦୧୭ ମସିହାରେ ଦୁହେଁ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ଛତିଶଗଡ଼ ଓ ଓଡ଼ିଶାରେ ଅନେକ ହିଂସାକାଣ୍ଡରେ ଉଭୟଙ୍କ ସଂପୃକ୍ତି ରହିଛି। ଉଭୟ ରଞ୍ଜିତ ଓ ଉଙ୍ଗା ଦୀର୍ଘ ଦିନ ହେବ ବୌଦ୍ଧ ଏସ୍‌ପିଙ୍କ ସହ ଯୋଗାଯୋଗରେ ଥିଲେ। ସେମାନେ ଆତ୍ମସମର୍ପଣ କରି ସାଧାରଣ ଜୀବନ ଯାପନ କରିବାକୁ ଚାହୁଁଥିଲେ। ନକ୍ସଲ ସଂଗଠନର ବିଭିନ୍ନ କାର୍ଯ୍ୟକଳାପରେ ସେମାନେ ଅସନ୍ତୁଷ୍ଟ ଥିବା କହିଛନ୍ତି ।

ହିଂସା ଛାଡି ଆତ୍ମସମର୍ପଣ କରିବା ପାଇଁ ରଞ୍ଜିତ ଓ ଉଙ୍ଗାଙ୍କ ନିଷ୍ପତ୍ତିକୁ ଡିଜିପି ସୁନୀଲ କୁମାର ବଂଶଲ ସ୍ୱାଗତ କରିଛନ୍ତି। ନକ୍ସଲମାନଙ୍କୁ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଆଗକୁ ନକ୍ସଲ ବିରୋଧୀ ଅଭିଯାନ ଜୋରଦାର କରାଯିବ ବୋଲି ଡିଜିପି କହିଛନ୍ତି।