ଦୂର ହେଲା ୧୨୭ ବର୍ଷର ଯନ୍ତ୍ରଣା, ୨୨ ଖଣ୍ଡ ବାସଚ୍ୟୁତ ଗ୍ରାମର ବାସିନ୍ଦା ପାଇଲେ ସ୍ଥାୟୀ ପଟ୍ଟା | News Room Odisha

ଦୂର ହେଲା ୧୨୭ ବର୍ଷର ଯନ୍ତ୍ରଣା, ୨୨ ଖଣ୍ଡ ବାସଚ୍ୟୁତ ଗ୍ରାମର ବାସିନ୍ଦା ପାଇଲେ ସ୍ଥାୟୀ ପଟ୍ଟା

ଭଞ୍ଜନଗର: ପ୍ରାୟ ୧୨୭ ବର୍ଷ ତଳର କଥା। ବ୍ରିଟିଶ ଅମଳରେ ତତ୍କାଳୀନ ଘୁମୁସର ଅଞ୍ଚଳରେ ପଦ୍ମା ନଦୀରେ ବନ୍ଧ ବାନ୍ଧି ନିର୍ମାଣ କରାଯାଇଥିଲା ସୋରଡ଼ା ଜଳଭଣ୍ଡାର। ଅଞ୍ଚଳରେ ଜଳସେଚନ, ପାନୀୟ ଜଳଯୋଗାଣ ସହ ବନ୍ୟା ନିୟନ୍ତ୍ରଣ ପାଇଁ ଏହି ପ୍ରକଳ୍ପ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ଏହି ଜଳଭଣ୍ଡାରର ଉପଯୋଗିତା ଆଜି ମଧ୍ୟ ଅନୁଭୂତ ହୁଏ। ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳକୁ ଜଳଜନିତ ସୁବିଧା ଏହି ଡ୍ୟାମରୁ ଉପଲବ୍ଧ ହେଉଛି। ବିଶେଷ କରି ଜଳସେଚନ ସମେତ ଶତାଧିକ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାର ମାଧ୍ୟମ ସାଜିଛି ସୋରଡ଼ା ଜଳଭଣ୍ଡାର।

ତେବେ ମୁଦ୍ରାର ଅପର ପାର୍ଶ୍ଵ ପରି ଏହି ଡ୍ୟାମ୍ ନିର୍ମାଣର ପ୍ରତିକୂଳ ପ୍ରଭାବ ଭୋଗିଥିଲେ ସହସ୍ରାଧିକ ଅଞ୍ଚଳବାସୀ। ଜଳଭଣ୍ଡାରର ଜଳ ଯେତିକି ଅଞ୍ଚଳରେ ଗଚ୍ଛିତ ହୋଇ ରହିଲା ସେହି ବିସ୍ତୃତ ଅଞ୍ଚଳର ଲୋକଙ୍କୁ ଉଚ୍ଛେଦ କରାଗଲା। ହେଲେ ବିଡ଼ମ୍ବନାର ବିଷୟ ଏହା ଥିଲା ଯେ ବର୍ଷ ପରେ ବର୍ଷ ବିତିଗଲା, ପିଢ଼ି ପରେ ପିଢ଼ି ଆସିଲେ ଓ ଗଲେ ଅଥଚ ଏହି ବିସ୍ଥାପିତ ପରିବାରଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରି ନଥିଲା। ବ୍ରିଟିଶ ଶାସନ ତ ଗଲା, ଦେଶ ସ୍ବାଧୀନତାର ୭ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ବିତିଯିବା ସତ୍ତ୍ବେ ଜଳଭଣ୍ଡାର ଆଖପାଖରେ ବିସ୍ଥାପିତ ୨୨ ଖଣ୍ଡ ଗ୍ରାମର ବାସିନ୍ଦା ସ୍ଥାୟୀ ଜମି ଓ ଘର ପଟ୍ଟା ମିଳିପାରି ନଥିଲା। ଫଳରେ ମୁଣ୍ଡ ଉପରେ କୌଣସି ମତେ ଛାତ ଯୋଗାଡ଼ କରିପାରିଥିଲେ ହେଁ ପଟ୍ଟା ନଥିବାରୁ ବିଭିନ୍ନ‌ ସରକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଥିଲେ। ଶିକ୍ଷାଗତ ହେଉ ବା ଆର୍ଥିକ ବା ବ୍ୟାଙ୍କିଙ୍ଗ କାରବାର କିମ୍ବା ଅନ୍ୟ ସୁବିଧା ସୁଯୋଗ ସେଥିରୁ ବାଦ୍ ପଡୁଥିଲେ ଏବଂ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ।

ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସୋରଡ଼ା ଅଞ୍ଚଳବାସୀଙ୍କ ଶତାଧିକ ବର୍ଷ ପୁରୁଣା କଷ୍ଟ ଲାଘବ କରିଛନ୍ତି। ଗତ ଅଗଷ୍ଟ ମାସରେ ତତ୍କାଳୀନ ୫ଟି ସଚିବ ତଥା ବର୍ତ୍ତମାନର ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ଗଞ୍ଜାମ ଜିଲ୍ଲା ତଥା ସୋରଡ଼ା ଗସ୍ତ ବେଳେ ଅଞ୍ଚଳବାସୀ ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଥିଲେ। ସେତେବେଳେ ଉଚିତ ପଦକ୍ଷେପ ନିଆଯିବ ବୋଲି ଆଶ୍ଵାସନା ଦେଇଥିଲେ ୫ଟି ସଚିବ। ଏହାପରେ ଜଳଭଣ୍ଡାର ଲାଗି ବାସଚ୍ୟୁତ ୨୨ଟି ଗ୍ରାମର ଲୋକଙ୍କୁ ଚଳିତ ବର୍ଷ ହିଁ ସ୍ଥାୟୀ ପଟ୍ଟା ପ୍ରଦାନ କରିବାକୁ ନୀତିଗତ ନିଷ୍ପତ୍ତି ନେଇ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କରିଥିଲେ। ଆଉ ଗୁରୁବାର ଓଡ଼ିଆ ଜାତିର ଅନ୍ୟତମ ପବିତ୍ର ଦିନ ମାଣବସା ଗୁରୁବାରରେ ସେହି ବିସ୍ଥାପିତ ପରିବାରଙ୍କୁ ଭେଟି ଦେଇଛନ୍ତି ଏହି ଉପହାର। ସମସ୍ତ ପରିବାର ସ୍ଥାୟୀ ପଟ୍ଟା ପାଇଛନ୍ତି। ସେମାନଙ୍କ ବର୍ଷ ବର୍ଷର ଅସୁବିଧା ଦୂର ହୋଇଛି। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଏହି ପଟ୍ଟା ପ୍ରଦାନ କରିଛନ୍ତି। ସୋରଡ଼ାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଅଞ୍ଚଳବାସୀଙ୍କ ଖୁସିରେ ନିଜକୁ ସାମିଲ କରିଥିଲେ। ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି।