ସଂସଦ ସୁରକ୍ଷା ଭଙ୍ଗ ଘଟଣାର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କୁ ୭ ଦିନ ପୋଲିସ ରିମାଣ୍ଡ | News Room Odisha

ସଂସଦ ସୁରକ୍ଷା ଭଙ୍ଗ ଘଟଣାର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କୁ ୭ ଦିନ ପୋଲିସ ରିମାଣ୍ଡ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭଙ୍ଗ ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝାଙ୍କୁ ଶୁକ୍ରବାର କୋର୍ଟ ୭ ଦିନ ପାଇଁ ପୋଲିସ ରିମାଣ୍ଡରେ ପଠାଇଛନ୍ତି । ବୁଧବାର ଘଟଣା ସମୟରେ ଲଳିତ ସଂସଦ ବାହାରେ ଉପସ୍ଥିତ ଥିଲେ। ସେ ଅନ୍ୟ ଅଭିଯୁକ୍ତଙ୍କ ପରିଚୟ ପତ୍ର ଏବଂ ମୋବାଇଲ୍ ଫୋନ୍ ନେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଲଲିତ ସେଠାରୁ ରାଜସ୍ଥାନ ଯାଇ ସେଠାରେ ସଂସଦ ଅନୁପ୍ରବେଶ ଘଟଣାର ସବୁ ଟକ୍ନିକାଲ ପ୍ରମାଣ ନଷ୍ଟ କରିଥିଲେ ବୋଲି ଦିଲ୍ଲୀ ପୋଲିସ କହିଛି ।

ସେ ନିଜ ସାଙ୍ଗମାନଙ୍କ ସାହାଯ୍ୟରେ ରାଜସ୍ଥାନର ଏକ ଢ଼ାବାରେ ରହିଥିଲେ | ଏହା ପରେ ସେ ଗୁରୁବାର ସନ୍ଧ୍ୟାରେ ଟ୍ରେନ୍ ଓ ପରେ ବସ୍ ଯୋଗେ ନିଜ ସାଙ୍ଗ ସହିତ ଦିଲ୍ଲୀ ଫେରି କର୍ତ୍ତବ୍ୟପଥ ପୋଲିସ ଥାନାରେ ଆତ୍ମସମର୍ପଣ କରିଥିଲେ |

ସଂସଦ ସୁରକ୍ଷା ଭଙ୍ଗ ଘଟଣା ନେଇ ଲଗାତାର ତୃତୀୟ ଦିନ ଧରି ସଂସଦରେ ହଟ୍ଟଗୋଳ ହୋଇଛି। ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହ ଜବାବ ରଖନ୍ତୁ ବୋଲି ଦାବି କରୁଛନ୍ତି ବିରୋଧୀ । ଗତକାଲି ଏହି ପ୍ରସଙ୍ଗରେ ହୋହଲ୍ଲା ଯୋଗୁଁ ୧୪ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା ।