୧.୩ କିଲୋ ଚୋରି ସୁନା ଫେରାଇଲା ପୋଲିସ | News Room Odisha

୧.୩ କିଲୋ ଚୋରି ସୁନା ଫେରାଇଲା ପୋଲିସ

ବ୍ରହ୍ମପୁର: ଏକ ଚୋରି ମାମଲାର ତଦନ୍ତ ବେଳେ ବ୍ରହ୍ମପୁର ପୋଲିସ ଗତ ଅକ୍ଟୋବର ୨ ତାରିଖରେ ସାନବଜାର ଅଞ୍ଚଳର ଏକ ସୁନା ପରୀକ୍ଷଣ କେନ୍ଦ୍ର (ଗୋଲ୍ଡ ଟେଷ୍ଟିଂ ସେଣ୍ଟର୍)ରେ ଚଢ଼ାଉ କରିଥିଲା। ସେଠାରୁ ଜବତ ହୋଇଥିଲା ୨୭୨୪ ଗ୍ରାମ୍ ସୁନା, ନଗଦ ୨୬ ଲକ୍ଷ ୩୮ ହଜାର ଟଙ୍କା। ସେଠାରୁ ଚୋରି ସୁନା କିଣାବିକା କାରବାରରେ ସମ୍ପୃକ୍ତି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ଜବତ ସୁନାରୁ ୧୩୨୦ ଗ୍ରାମ୍ ସୁନା ୧୬ଟି ଚୋରି ମାମଲାର ଅଭିଯୋଗକାରୀ ତଥା ସୁନା ଅଳଙ୍କାରର ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରିଛି ପୋଲିସ।

ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ୮ଟି ଥାନା ଅଞ୍ଚଳରେ ବର୍ଷକ ମଧ୍ୟରେ ୧୬ଟି ଚୋରି ମାମଲା ରୁଜୁ କରାଯାଇ ଥିଲା। ପୋଲିସ ଏହାର ତନାଘନା ଚଳାଇଥିଲା। ବିଶେଷ ସୂତ୍ରରୁ ସୁରାକ ପାଇ ପୋଲିସ ବ୍ରହ୍ମପୁରର ଉକ୍ତ ସୁନା ଟେଷ୍ଟିଂ ସେଣ୍ଟରରେ ଖାନତଲାସ କରିଥିଲା। ପୋଲିସ ଜାଣିବାକୁ ପାଇଥିଲା ଯେ ଲୁଟେରାମାନେ ସୁନା ଚୋରି କରି ତାହାକୁ ସେଠାରେ ବିକ୍ରି କରୁଥିଲେ। ସେଠାରେ ଆବଶ୍ୟକ ସ୍ଥଳେ ସୁନାକୁ ତରଳାଇ ବିସ୍କୁଟ ବା ଖଣ୍ଡ ଆକାରରେ ଗଚ୍ଛିତ ରଖାଯାଉଥିଲା।

ପୋଲିସ ଚୋରି ସୁନା ଉଦ୍ଧାର କରିବା ପରେ ଯେଉଁମାନଙ୍କର ଘରୁ ଚୋରି ହୋଇଥିଲା ସେହି ଅଭିଯୋଗକାରୀମାନଙ୍କୁ ଡକାଇ ସେମାନଙ୍କୁ ଫେରସ୍ତ କରିଛି। ବ୍ରହ୍ମପୁର ପୋଲିସ ଜିଲ୍ଲା ମୁଖ୍ୟାଳୟରେ ଏସପି ଡ଼ା ସର୍ବଣା ବିବେକ ଏମ୍ ଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ବଳକା ଜବତ ସୁନା କୋର୍ଟରେ ଜିମା ଦିଆଯିବ ବୋଲି ଏସପି କହିଛନ୍ତି। ନିଜ ସୁନା ଫେରି ପାଇବା ପରେ ଲୋକେ ଏସପିଙ୍କୁ ସାଧୁବାଦ ଜଣାଇଛନ୍ତି।