ସଂସଦ ସୁରକ୍ଷା ଭଙ୍ଗ ଘଟଣା ଚିନ୍ତାଜନକ: ମୋଦୀ | News Room Odisha

ସଂସଦ ସୁରକ୍ଷା ଭଙ୍ଗ ଘଟଣା ଚିନ୍ତାଜନକ: ମୋଦୀ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭଙ୍ଗ ଘଟଣାର ପାଞ୍ଚ ଦିନ ପରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି । ଏହା ଏକ ଗମ୍ଭୀର ଓ ଚିନ୍ତାଜନକ ବିଷୟ ବୋଲି କହିଛନ୍ତି ମୋଦୀ । ଏହା ଉପରେ ହୋହଲ୍ଲା କରିବା ଅପେକ୍ଷା ଏହି ଘଟଣା ପଛରେ କିଏ ଅଛି ଓ ତା’ର ଉଦ୍ଦେଶ୍ୟ କ’ଣ ଜାଣିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ‘ଦୈନିକ ଜାଗରଣ’କୁ ଏକ ସାକ୍ଷାତକାରରେ କହିଛନ୍ତି । ଏହାଛଡ଼ା ବିରୋଧୀଙ୍କୁ ସକରାତ୍ମକ ରାଜନୀତି କରିବାକୁ ପରାମର୍ଶ ଦେଇଛନ୍ତି ମୋଦୀ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ସାକ୍ଷାତକାରକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । କାରଣ ସଂସଦ ସୁରକ୍ଷା ଭଙ୍ଗ ଘଟଣା ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଗୃହମନ୍ତ୍ରୀ ଏହି ପ୍ରସଙ୍ଗରେ ଜବାବ ରଖିବାକୁ ସେମାନେ ଦାବି କରୁଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତିନି ଦିନ ଧରି ଗୃହ ଚାଲିପାରୁନାହିଁ । ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ ସଂସଦରେ ହୋଇଥିବା ସୁରକ୍ଷା ଭଙ୍ଗ ଘଟଣା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାକୁ ନେଇ ଯୁକ୍ତିତର୍କ ଓ ବିରୋଧ କରିବା ପରିବର୍ତ୍ତେ ଏହି ଘଟଣାର ଗଭୀରତାକୁ ଯିବା ଜରୁରୀ। ଯାହା ଦ୍ଵାରା ସମାଧାନର ବାଟ ମିଳିପାରିବ | ସେ କହିଛନ୍ତି ଯେ ତଦନ୍ତକାରୀ ସଂସ୍ଥା ଏହି ଘଟଣାର ତଦନ୍ତ କରୁଛନ୍ତି। ଏହି ଘଟଣା ପଛରେ ଥିବା ତତ୍ତ୍ଵ ଓ ସେମାନଙ୍କର ଉଦ୍ଦେଶ୍ୟ କ’ଣ ସେ ବିଷୟରେ ଗଭୀର ଭାବେ ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ |

ପ୍ରଧାନମନ୍ତ୍ରୀ ମୋଦୀ ଧାରା ୩୭୦ ଉପରେ ମଧ୍ୟ ମତ ରଖିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସତ୍ତ୍ୱେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବାକୁ ବିରୋଧ କରୁଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଚେତାବନୀ ଦେଇଛନ୍ତି। ବ୍ରହ୍ମାଣ୍ଡର କୌଣସି ଶକ୍ତି ଧାରା ୩୭୦କୁ ଫେରାଇ ଆଣିପାରିବ ନାହିଁ ବୋଲି ମୋଦୀ କହିଛନ୍ତି ।