ବ୍ରହ୍ମପୁର: ଶନିବାର ଭୋର ୫ଟା। ପୁରୀରେ ପହଞ୍ଚିଥିଲେ ୫-ଟି ଅଧ୍ୟକ୍ଷ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରି ଭୁବନେଶ୍ବର ଫେରିଥିଲେ। ସେଠାରେ ମଧ୍ୟ ବିଭିନ୍ନ କାର୍ଯ୍ୟ ସାରି ମଧ୍ୟାହ୍ନରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଭିମୁଖେ ବାହାରିଥିଲେ। ସେଠାରେ ହେଲିକପ୍ଟରରୁ ଓହ୍ଲାଇବା ପରେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଅବିରତ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କେଉଁଠି କଲେଜ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ତ କେଉଁଠି ଚାଷୀ ବା ମହିଳାଙ୍କୁ ଭେଟିଥିଲେ। ସଡକ ପଥରେ ଗୋଟିଏ ପରେ ଗୋଟିଏ ଅଞ୍ଚଳ ଘୁରି ବୁଲିବା ସହ ଲୋକଙ୍କୁ ମଧ୍ୟ ଭେଟିଥିଲେ। ସେମାନଙ୍କ ସହ ଭାବ ବିନିମୟ ଓ ଆଲୋଚନା କରିଥିଲେ। ବିଳମ୍ବିତ ସନ୍ଧ୍ୟାରେ ସେ ବ୍ରହ୍ମପୁର ମା’ ବୁଢ଼ି ଠାକୁରାଣୀ ମନ୍ଦିର ଦର୍ଶନ କରି ରୂପାନ୍ତରୀକରଣ କାର୍ଯ୍ୟ ଅନୁଧ୍ୟାନ କରି ଶନିବାର ବ୍ୟସ୍ତବହୁଳ କାର୍ଯ୍ୟରୁ ବିରତି ନେଇଥିଲେ।
ହେଲେ ସେ ବିରତି ଆଦୌ ଲମ୍ବା କି ଦୀର୍ଘ ନଥିଲା। ରବିବାର ଭୋରରୁ ପୁଣି ଆରମ୍ଭ ହୋଇଯାଇଥିଲା ଆଉ ଏକ ବ୍ୟସ୍ତବହୁଳ ଦିନ। ଭୋର ୫ଟାରୁ ବ୍ରହ୍ମପୁର ସର୍କିଟ ହାଉସରୁ ତାଙ୍କ ଗାଡ଼ି ବାହାରିଥିଲା ଯେ ଅପରାହ୍ନ ପ୍ରାୟ ୪ଟା ପର୍ଯ୍ୟନ୍ତ ଅର୍ଦ୍ଧାଧିକ ଗଞ୍ଜାମ ବୁଲିଥିଲେ ସେ। ବ୍ରହ୍ମପୁର ମହାନଗର, କୁକୁଡ଼ାଖଣ୍ଡି ବ୍ଲକ୍, ରଙ୍ଗେଇଲୁଣ୍ଡା, ଛତ୍ରପୁର, ପୋଲସରା, କବିସୂର୍ଯ୍ୟନଗର, ଆସିକା ଓ ଭଞ୍ଜନଗର ବ୍ଲକ୍ ବୁଲିଥିଲେ। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଅନୁଧ୍ୟାନ ଓ ସମୀକ୍ଷା କରି ଭୁବନେଶ୍ବର ଫେରି ସେଠାରେ ମଧ୍ୟ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ। ମଝିରେ ନାମକୁ ମାତ୍ର ବିଶ୍ରାମ ଯେଉଁ ସମୟରେ ଜଳପାନ ଓ ଭୋଜନ ଗ୍ରହଣ କରିଥିଲେ ସେ। ନା ଥିଲା ଲଗାତାର ଯାତ୍ରାଜନିତ କ୍ଲାନ୍ତି ନା ଅବିରତ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦାନ ଜନିତ ଥକାପଣ। ବରଂ ମୁହଁରେ ସଦା ହସ ହସି ଭାବ ସାଙ୍ଗକୁ ମନ ଚଳଚଞ୍ଚଳ ଓ ଶରୀର ସଦା ତତ୍ପର ଥିଲା। ଲୋକଙ୍କୁ ଭେଟି ଆଲୋଚନା କରିବା, ଭିନ୍ନ ଭିନ୍ନ ସ୍ଥାନ ବୁଲି ଉନ୍ନୟନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲକ୍ଷ୍ୟରେ ଟିକିଏ ବି ବ୍ୟତିକ୍ରମ ହେବାକୁ ଦେଇ ନଥିଲେ ସେ। ଗୋଟିଏ ଦିନରେ ଅଧା ଜିଲ୍ଲା ପରିଦର୍ଶନ ଓ ଅନୁଧ୍ୟାନ ଆଦୌ ସାଧାରଣ ଲୋକଙ୍କ ପାଇଁ ସହଜ କି ସମ୍ଭବ ନୁହେଁ। କେବଳ ଜଣେ ନିଷ୍ଠାପର କର୍ମଯୋଗୀ ଠାରେ ହିଁ ଏହି ଧରଣର ସାଧନା ଦେଖିବାକୁ ମିଳେ। ଆଉ କାର୍ତ୍ତିକ ପାଣ୍ଡିଆନଙ୍କ ଠାରେ ତାହାର ପ୍ରତିଛବି ଦେଖିବାକୁ ମିଳିଥାଏ।
ପୂର୍ବରୁ ମଧ୍ୟ ଗତ ଅଗଷ୍ଟ ମାସରେ ତିନିଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ସେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବ୍ୟତୀତ ସମସ୍ତ ନିର୍ବାଚନମଣ୍ଡଳୀ ଭ୍ରମଣ କରିଥିଲେ। କେବଳ ଏହା ନୁହେଁ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ମଧ୍ୟ ତାଙ୍କର ଏହିପରି କର୍ମ ତତ୍ପରତାକୁ ଅନୁଭୂତ କରିଥିଲେ ଜିଲ୍ଲାବାସୀ। ସହରରୁ ଗ୍ରାମାଞ୍ଚଳ, ବ୍ଲକ୍ ସଦରମହକୁମାରୁ ଦୁର୍ଗମ ଅଞ୍ଚଳ ଘୁରି ବୁଲୁଥିଲେ ସେ। ଲୋକଙ୍କ ନିକଟରେ ନିଜେ ପହଞ୍ଚିବା ସହ ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ଜନହିତକର ଯୋଜନାର ସୁଫଳ ତୃଣମୂଳ ସ୍ତର ଯାଏଁ ପହଞ୍ଚାଇବାରେ ଲାଗି ପଡିଥିଲେ ସେ।
ଭୋରରୁ ଉଠି ଦିନର ଅଧିକ ସମୟ କାର୍ଯ୍ୟ କରିବା, ସମୟର ସର୍ବାଧିକ ସଦୁପଯୋଗ କରିବା, ସନ୍ଧ୍ୟା ପର୍ଯ୍ୟନ୍ତ କଠୋର ପରିଶ୍ରମ କରି ରାତିରେ ଅଧିକ ବିଳମ୍ବ ନକରି ଠିକ୍ ସମୟରେ ଖାଇ ଶୋଇବା ତାଙ୍କ ନିୟମିତ ଓ ଶୃଙ୍ଖଳିତ ଦିନଚର୍ଯ୍ୟାର ଅଂଶବିଶେଷ। ଏହାଦ୍ବାରା ଜଣେ ବ୍ୟକ୍ତି ସୁସ୍ଥ ଜୀବନଯାପନ କରିପାରିବ। ଯେବେ କୌଣସି ସ୍ଥାନକୁ ଗସ୍ତ ନଥାଏ, ସେତେବେଳେ ମର୍ଣ୍ଣିଂ ଓ୍ବାକ୍, ଯୋଗ ବ୍ୟାୟାମରେ ଆଉ କିଛି ଅଧିକ ସମୟ ବିତାଇଥାନ୍ତି ପାଣ୍ଡିଆନ। ଯାହା କାନ୍ଧରେ ଯେତେ ଗୁରୁ ଦାୟିତ୍ଵ ସେ ନିଜ ସହ ସମସ୍ତଙ୍କ ପ୍ରତି ସେତିକି ସ୍ବାସ୍ଥ୍ୟ ସଚେତନ ରହି ଦିନଚର୍ଯ୍ୟାକୁ ସେହିପରି ଶୃଙ୍ଖଳିତ କରି କାର୍ଯ୍ୟକୁ ବ୍ୟବସ୍ଥିତ ଢଙ୍ଗରେ ସମ୍ପାଦନ କରିବାର ଆବଶ୍ୟକତା ରହିଛି, ୫-ଟି ଅଧ୍ୟକ୍ଷଙ୍କ ଜୀବନ ଓ କାର୍ଯ୍ୟକ୍ରମରୁ ଆମକୁ ସେହି ଶିକ୍ଷା ମିଳିଥାଏ ।