ଅର୍ଶଦୀପ, ଆବେଶଙ୍କ ଘାତକ ବୋଲିଂ; ଦକ୍ଷିଣ ଆଫ୍ରିକାକୁ ୮ ଓ୍ବିକେଟରେ ହରାଇଲା ଭାରତ | News Room Odisha

ଅର୍ଶଦୀପ, ଆବେଶଙ୍କ ଘାତକ ବୋଲିଂ; ଦକ୍ଷିଣ ଆଫ୍ରିକାକୁ ୮ ଓ୍ବିକେଟରେ ହରାଇଲା ଭାରତ

ଜୋହାନ୍ସବର୍ଗ: ଅର୍ଶଦୀପ ସିଂ ଏବଂ ଆବେଶ ଖାନଙ୍କ ଘାତକ ବୋଲିଂ ବଳରେ ଭାରତ ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ହରାଇଛି ।

ନ୍ୟୁ ୱାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଭାରତୀୟ ପେସ୍ ଯୋଡ଼ି ଅର୍ଶଦୀପ ଓ ଆବେଶଙ୍କ ବୋଲିଂ ସମ୍ମୁଖରେ ଘରୋଇ ଦଳର ବ୍ୟାଟିଂ ତାସର ଘର ପରି ଭୁଶୁଡ଼ି ପଡ଼ିଥିଲା । ଦକ୍ଷିଣ ଆଫ୍ରିକା ୨୭.୩ ଓଭରରେ ମାତ୍ର ୧୧୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।

ଅର୍ଶଦୀପ ୫ଟି ୱିକେଟ୍ ନେଇଥିବା ବେଳେ ଆବେଶ ୪ ୱିକେଟ୍ ପାଇଥିଲେ । ଦକ୍ଷିଣ ଆଫ୍ରିକାରେ ଏକ ଦିନିକିଆ ମ୍ୟାଚରେ ୫ ଓ୍ବିକେଟ୍ ନେବାରେ ଅର୍ଶଦୀପ ପ୍ରଥମ ଭାରତୀୟ ବୋଲର ହୋଇଥିଲେ । ଦକ୍ଷିଣ ଆଫ୍ରିକାର କେବଳ ୪ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିଥିଲେ । ଦଳ ପକ୍ଷରୁ ଆଣ୍ଡିଲୋ ଫେଲୁକାୟୋ ସର୍ବାଧିକ ୩୩ ରନ୍ କରିଥିଲେ ।

୧୧୭ ରନ୍ ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୧୬.୪ ଓଭରରେ ହାସଲ କରିନେଇଥିଲା । ନିଜ ଡେବ୍ୟୁରେ ସାଇ ସୁଦର୍ଶନ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୩ ବଲରେ ୯ଟି ଚୌକା ସହ ଅପରାଜିତ ୫୫ ରନ୍ କରିଥିଲେ। ଶ୍ରେୟସ୍ ଆୟର ୪୫ ବଲରେ ୬ଟି ଚୌକା ଓ ଗୋଟିଏ ଛକା ସହ ୫୨ ରନ୍ କରିଥିଲେ ।

ପ୍ରଥମ ଦିନିକିଆରେ ଏକତରଫା ବିଜୟ ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି | ସିରିଜର ଦ୍ୱିତୀୟ ଦିନିକିଆ ଡିସେମ୍ବର ୧୯ରେ କେବେରାର ସେଣ୍ଟ ଜର୍ଜ ପାର୍କରେ ଖେଳାଯିବ |