କେନ୍ଦ୍ରାପଡା ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ  | News Room Odisha

କେନ୍ଦ୍ରାପଡା ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ 

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିସହ ସେ ଚାଷୀ ଓ ମିଶନ ଶକ୍ତି ଗ୍ରୁପ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ବ୍ରାହ୍ମଣୀ ନଦୀରେ ପୋଲ ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି ପାଣ୍ଡିଆନ । ରାଜନଗର ବ୍ଲକର ଦକ୍ଷିଣଡିହରୁ କେଦାରଗଡ ରୋଡ୍ ଯାଏଁ ନିର୍ମାଣ ହେଉଥିବା ପୋଲ ପାଇଁ

୫୯ କୋଟି ୮୭ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ଏ ବର୍ଷ ଏପ୍ରିଲରେ ସିଏମଓର ଜନଶୁଣାଣି ବେଳେ ପୋଲ ନିର୍ମାଣ ପାଇଁ କେନ୍ଦ୍ରାପଡା ଗସ୍ତ ବେଳେ ପାଣ୍ଡିଆନଙ୍କୁ ଦାବିପତ୍ର ମିଳିଥିଲା ।

୫-ଟି ଅଧ୍ୟକ୍ଷ କେଦାରଗଡ ଜଗନ୍ନାଥ ମନ୍ଦିରର ଉନ୍ନତିକରଣ ଓ ନବୀକରଣ କାର୍ଯ୍ୟର ବି ସମୀକ୍ଷା କରିଥିଲେ । ଏଥିପାଇଁ ୩ କୋଟି ଟଙ୍କା ଖର୍ଚ୍ଚ ହେଉଛି । ମନ୍ଦିରରେ ପୂଜକ ଓ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଥିଲେ ୫-ଟି ଅଧ୍ୟକ୍ଷ ।

ଜିଲ୍ଲାର ଗୋପାଳପୁର ଛକ, ମଦନପୁର ଛକ, ପଟ୍ଟାମୁଣ୍ଡାଇ ଏସ ଏଚଡି ନିକଟସ୍ଥ ଆଇବି ଛକ, ଗୋଗୁଆ ଓ ତିନିମୁହାଣୀ ଛକରେ ୫-ଟି ଅଧ୍ୟକ୍ଷ ଜନସଭାରେ ଯୋଗ ଦେଇଥିଲେ। କେନ୍ଦ୍ରାପଡା ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ବିଷୟରେ ସେ ଜନସାଧାରଣଙ୍କୁ କହିଥିଲେ ।

୫-ଟି ଅଧ୍ୟକ୍ଷ ବଳଦେବଜୀଉ ମନ୍ଦିର ପରିଦର୍ଶନ କରିବା ପୂଜକ ଓ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଥିଲେ । ଇଚ୍ଛାପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ପାଣ୍ଡିଆନ । ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ ବେଳେ ସବୁ ଜାଗାରେ ୫-ଟି ଅଧ୍ୟକ୍ଷଙ୍କୁ ସ୍ଥାନୀୟ ଜନସାଧାରଣ ଓ ବିଜେଡି ନେତାମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।