ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି: ଆସନ୍ତା ଫେବ୍ରୁଆରୀରେ ଆୟୋଜନ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ | News Room Odisha

ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି: ଆସନ୍ତା ଫେବ୍ରୁଆରୀରେ ଆୟୋଜନ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ୱର – ଆସନ୍ତାବର୍ଷ ଫେବ୍ରୁଆରୀ ମାସରେ ଆୟୋଜନ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ଓଡ଼ିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର । ଆସନ୍ତା ଫେବ୍ରୁଆରୀ ମାସରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ପାଇଁ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏ ସମ୍ପର୍କରେ ଅଧିକ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମଥର ପାଇଁ ଭୁବନେଶ୍ୱରରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ହେବ।

ଏହି ସମ୍ମିଳନୀକୁ ବିଶ୍ୱର ବିଭିନ୍ନ ଭାଗରେ ଥିବା ଭାଷାବିତ ଓ ଗବେଷକମାନଙ୍କୁ ଆମନ୍ତ୍ରଣ କରାଯିବ । ସମ୍ମିଳନୀ ୩ ଦିନ ଧରି ଚାଲିବ । ଏଥିରେ କେବଳ ଓଡ଼ିଆ ଭାଷା ନୁହେଁ ଓଡ଼ିଶାରେ ବ୍ୟବହୃତ ହେଉଥିବା ସମସ୍ତ ଭାଷାର ପ୍ରଚାର-ପ୍ରସାର ଓ ସଂରକ୍ଷଣ ଦିଗରେ ଅଧିକ କ’ଣ ପଦକ୍ଷେପ ନିଆଯାଇପାରିବ ତା’ଉପରେ ବିସ୍ତୃତ ଆଲୋଚନା ହେବ । ସମ୍ମିଳନୀକୁ ଆସିଥିବା ଗବେଷକ ଓ ବିଶେଷଜ୍ଞମାନଙ୍କ ମତାମତ ସଂଗ୍ରହ କରାଯିବ । ଭାଷା ବୈଜ୍ଞାନିକମାନଙ୍କୁ ମଧ୍ୟ ନିଜର ଗବେଷଣା ଲବ୍ଧ ତଥ୍ୟ ଉପସ୍ଥାପନ କରିବାର ସୁଯୋଗ ମିଳିବ । ଓଡ଼ିଆ ଭାଷାର ପ୍ରଚାର-ପ୍ରସାର ଓ ସଂରକ୍ଷଣ ଏବଂ ଯୁବବର୍ଗଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଆକର୍ଷଣ ବୃଦ୍ଧି କରିବା ହେଉଛି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ଓଡ଼ିଆ ଭାଷା ଗବେଷକଙ୍କୁ ଏହି ସମ୍ମିଳନୀକୁ ଆମନ୍ତ୍ରଣ କରାଯିବ । ସ୍କୁଲ,କଲେଜ ଓ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କୁ ମଧ୍ୟ ଏହି ସମ୍ମିଳନୀରେ ସାମିଲ କରାଯାଇ ସେମାନଙ୍କ ମଧ୍ୟରେ ଭାଷା ଜ୍ଞାନକୁ କିଭଳି ଅଧିକ ରୁଦ୍ଧିମନ୍ତ କରିହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଓଡ଼ିଆ ଭାଷାକୁ ପେଷାଦାର ପାଠ୍ୟକ୍ରମରେ କିଭଳି ସାମିଲ କରାଯିବ ଓ ଡିଜିଟାଲ ଯୁଗରେ ଓଡ଼ିଆ ଓ ସ୍ଥାନୀୟ ଭାଷାର ପ୍ରଚାର ପ୍ରସାର ଉପରେ ମଧ୍ୟ ଏହି ସମ୍ମିଳନୀରେ ବିସ୍ତୃତ ଆଲୋଚନା ହେବ ।