'ଇଣ୍ଡିଆ' ବୈଠକ: ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ଚେହେରା ଉପରେ ନିଷ୍ପତ୍ତି, ଜାନୁଆରୀ ଦ୍ବିତୀୟ ସପ୍ତାହ ସୁଦ୍ଧା ଆସନ ଭାଗବଣ୍ଟା | News Room Odisha

‘ଇଣ୍ଡିଆ’ ବୈଠକ: ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ଚେହେରା ଉପରେ ନିଷ୍ପତ୍ତି, ଜାନୁଆରୀ ଦ୍ବିତୀୟ ସପ୍ତାହ ସୁଦ୍ଧା ଆସନ ଭାଗବଣ୍ଟା

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁଜିଭ୍ ଆଲାଏନ୍ସ’ (ଇଣ୍ଡିଆ)ର ପ୍ରମୁଖ ନେତାମାନଙ୍କ ଏକ ବୈଠକ ମଙ୍ଗଳବାର ଏଠାରେ ଅନୁଷ୍ଠିତ ହୋଇଛି । ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ଜାନୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ପ୍ରଧାନମନ୍ତ୍ରୀ ପଦ ପାଇଁ ଚେହେରା ସମ୍ପର୍କରେ ନିର୍ବାଚନରେ ବିଜୟ ପରେ ହିଁ ନିଷ୍ପତ୍ତି ନିଆଯିବ ବୋଲି ମଧ୍ୟ ସହମତି ପ୍ରକାଶ ପାଇଛି । ତେବେ ଏମଡିଏମକେ ନେତା ଭାଇକୋ କହିଛନ୍ତି ଯେ ଏହି ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିରୋଧୀ ଦଳରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ଏହି ବୈଠକରେ ମୋଟ ୨୮ଟି ଦଳର ନେତା ଯୋଗ ଦେଇଥିଲେ।

ଏହି ବୈଠକ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଗଣମାଧ୍ୟମକୁ କହିଛନ୍ତି, “ଆଜି ୨୮ଟି ଦଳର ନେତାମାନେ ଏହି ମେଣ୍ଟର ଚତୁର୍ଥ ବୈଠକରେ ଭାଗ ନେଇଥିଲେ। ଏହା ଏକ ଖୁସିର ବିଷୟ ଯେ ସମସ୍ତେ ଏକାଠି ହୋଇ ଭବିଷ୍ୟତରେ କିପରି ମିଳିମିଶି କାମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ସେ କହିଛନ୍ତି ଯେ ସମସ୍ତ ଦଳ ୮-୧୦ ଜନସଭା କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ରାଜ୍ୟ ସ୍ତରରେ ଆସନ ଭାଗବଣ୍ଟା ଉପରେ ଆଲୋଚନା ହେବ । ଯଦି କୌଣସି ସମସ୍ୟା ଉପୁଜେ ତେବେ ଏନେଇ ଜାତୀୟ ସ୍ତରରେ ଆଲୋଚନା ହେବ।

ପ୍ରଧାନମନ୍ତ୍ରୀଙ୍କ ପଦ ସହ ଜଡ଼ିତ ପ୍ରଶ୍ନ ଉପରେ ଖଡ଼ଗେ କହିଛନ୍ତି, ପ୍ରଥମେ (ନିର୍ବାଚନ) ଜିତିବାକୁ ପଡିବ, ଏହା ପରେ ଏନେଇ ଆଲୋଚନା ହେବ।

ଦିଲ୍ଲୀର ଅଶୋକ ହୋଟେଲରେ ଅନୁଷ୍ଠିତ ଏହି ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ସଭାପତି ସୋନିଆ ଗାନ୍ଧୀ, ଦଳର ନେତା ରାହୁଲ ଗାନ୍ଧୀ ଏବଂ ସଂଗଠନ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ, ଜନତା ଦଳ (ୟୁ)ର ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଦଳର ସଭାପତି ରାଜୀବ ରଂଜନ ସିଂ ଓରଫ୍ ଲଲନ ସିଂ ଉପସ୍ଥିତ ଥିଲେ ।

ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବଂ ଦଳର ସାଧାରଣ ସମ୍ପାଦକ ରାମ ଗୋପାଳ ଯାଦବ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ଡିଏମକେରୁ ବରିଷ୍ଠ ନେତା ଟିଆର ବାଲୁ, ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ ଅବଦୁଲ୍ଲା, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି, ରାଷ୍ଟ୍ରିୟ ଲୋକ ଦଳ ସଭାପତି ଜୟନ୍ତ ଚୌଧୁରୀ ଏବଂ ଅପନା ଦଳ (କେ)ର କୃଷ୍ଣ ପଟେଲ, ପଲ୍ଲବୀ ପଟେଲ ଏବଂ ଅନ୍ୟ ନେତାମାନେ ଯୋଗ ଦେଇଥିଲେ।