ଦେଶରେ ନୂଆ କରୋନା ଭାରିଆଣ୍ଟ 'ଜେଏନ୍.୧'ର ୨୧ଟି ମାମଲା | News Room Odisha

ଦେଶରେ ନୂଆ କରୋନା ଭାରିଆଣ୍ଟ ‘ଜେଏନ୍.୧’ର ୨୧ଟି ମାମଲା

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଚିନ୍ତା ବଢ଼ାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ କରୋନାର ନୂଆ ସବ୍ ଭାରିଆଣ୍ଟ ‘ଜେଏନ୍.୧’ର ୨୧ଟି ମାମଲା ଚିହ୍ନଟ ହୋଇଛି । ଏଥିମଧ୍ୟରୁ ଗୋଆରେ ୧୯ଟି ମାମଲା ରିପୋର୍ଟ ହୋଇଥିବା ବେଳେ କେରଳ ଏବଂ ମହାରାଷ୍ଟ୍ରରେ ଗୋଟିଏ ଲେଖାଏଁ ମାମଲା ମିଳିଛି ।

ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡଃ ଭି.କେ ପାଲ କହିଛନ୍ତି, ମଙ୍ଗଳବାର ଦେଶରେ ୫୦୦ କରୋନା ମାମଲା ରିପୋର୍ଟ ହୋଇଥିଲା । ଗତ ଦୁଇ ସପ୍ତାହ ମଧ୍ୟରେ କୋଭିଡ ଯୋଗୁଁ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଲୋକମାନଙ୍କ ପୂର୍ବରୁ ଅନେକ ଗମ୍ଭୀର ରୋଗ ଥିଲା |

ସେ କହିଛନ୍ତି, ଦେଶରେ କରୋନାର ୨୩୦୦ ସକ୍ରିୟ ମାମଲା ମଧ୍ୟରୁ ୨୧ଟି ସବ୍ ଭାରିଆଣ୍ଟ ଜେଏନ୍.୧ର ମାମଲା ରହିଛି। ସବ୍ ଭାରିଆଣ୍ଟ ଜେଏନ୍.୧ର ପ୍ରଥମ ମାମଲା ଅଗଷ୍ଟ ମାସରେ ଲକ୍ସମବର୍ଗରେ ମିଳିଥିଲା | ଧୀରେ ଧୀରେ ଏହା ୩୬ ରୁ ୪୦ ଦେଶକୁ ବ୍ୟାପିଥିଲା | ଏନେଇ ଆତଙ୍କିତ ହେବା ଆବଶ୍ୟକ ନାହିଁ । ଆମକୁ କେବଳ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ବୁଧବାର ସାରା ଦେଶରେ ସ୍ୱାସ୍ଥ୍ୟ ସୁବିଧା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । କରୋନା ଭାଇରସର ନୂଆ ପ୍ରଜାତି ସମ୍ପର୍କରେ ସଚେତନ ହେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ପ୍ରସଙ୍ଗରେ ସେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି ବୋଲି ମାଣ୍ଡବୀୟ କହିଛନ୍ତି।

ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) କରୋନାର ‘ଜେଏନ୍.୧’ ସବ୍ ଭାରିଆଣ୍ଟକୁ ‘ଭାରିଆଣ୍ଟ ଅଫ୍ ଇଣ୍ଟେରେଷ୍ଟ’ ଶ୍ରେଣୀଭୁକ୍ତ କରିଛି। ଏହା ସେଭଳି ବିପଦ ସୃଷ୍ଟି କରିବ ନାହିଁ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।