ସାତ୍ତ୍ୱିକ-ଚିରାଗଙ୍କୁ ଖେଳରତ୍ନ, ସାମିଙ୍କ ସହ ୨୬‌ କ୍ରୀଡ଼ାବିତ୍‌ ପାଇବେ ଅର୍ଜୁନ ପୁରସ୍କାର | News Room Odisha

ସାତ୍ତ୍ୱିକ-ଚିରାଗଙ୍କୁ ଖେଳରତ୍ନ, ସାମିଙ୍କ ସହ ୨୬‌ କ୍ରୀଡ଼ାବିତ୍‌ ପାଇବେ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ଷ୍ଟାର ପୁରୁଷ ବ୍ୟାଡମିଣ୍ଟନ ଯୋଡ଼ି ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଚଳିତ ବର୍ଷ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବେ। ଦିନିକିଆ ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଦ୍ରୁତ ବୋଲର ମହମ୍ମଦ ସାମି ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଦିନିକିଆ ବିଶ୍ୱକପରେ ୩୩ ବର୍ଷୀୟ ସାମି ଚମତ୍କାର ପ୍ରଦର୍ଶନ କରିଥିଲେ | ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିଥିଲା ଭାରତ ।

କ୍ରୀଡା ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ଦେଶର ଦ୍ୱିତୀୟ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଅର୍ଜୁନ ପୁରସ୍କାର ତାଲିକାରେ ସାମିଙ୍କ ନାମ ସାମିଲ କରିବାକୁ ବିସିସିଆଇ ବିଶେଷ ଅନୁରୋଧ କରିଥିଲା । ତାଙ୍କ ନାମ ମୂଳ ତାଲିକାରେ ନଥିଲା। ଦିନିକିଆ ବିଶ୍ୱକପ୍‌ରେ ସାମି ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହୋଇଥିଲେ। ସେ ମାତ୍ର ୭ଟି ମ୍ୟାଚରେ ୨୪ ୱିକେଟ୍ ନେଇଥିଲେ।

ସାମିଙ୍କ ବ୍ୟତୀତ ଆଉ ୨୫ ଖେଳାଳି ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ହକି ଖେଳାଳି କ୍ରିଷ୍ଣା ବାହାଦୂର ପଠକ ଏବଂ ସୁଶୀଲା ଚାନୁ, ତୀରନ୍ଦାଜ ଓଜସ୍ ପ୍ରବୀଣ ଦେଓତାଲେ ଏବଂ ଆଦିତ୍ୟ ଗୋପୀଚାନ୍ଦ ସ୍ବାମୀ, ବକ୍ସର ମହମ୍ମଦ ହୁସାମୁଦ୍ଦିନ, ଚେସ୍ ଖେଳାଳି ଆର ବୈଶାଲୀ, ଗଲ୍ଫର ଦିଶା ଡାଗର, ସୁଟର ଐଶ୍ୱର୍ଯ୍ୟା ପ୍ରତାପ ସିଂହ ତୋମର, ରେସଲର ଅନନ୍ତ ପାଙ୍ଗିଲ ଏବଂ ଟେବୁଲ ଟେନିସ ଖେଳାଳି ଅୟହିକା ମୁଖାର୍ଜୀ ଅଛନ୍ତି।

ଜାନୁଆରୀ ୯ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କ୍ରୀଡ଼ା ପୁରସ୍କାର ପ୍ରଦାନ କରିବେ।

ଚଳିତ ବର୍ଷର ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର ଏବଂ ଅର୍ଜୁନ ପୁରସ୍କାର ବିଜେତାଙ୍କୁ ଚୟନ କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏମ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଏକ ୧୨ ଜଣିଆ କମିଟି ଗଠନ କରିଥିଲା । ଖାନୱିଲକରଙ୍କ ବ୍ୟତୀତ ପୂର୍ବତନ ହକି ଖେଳାଳି ଧନରାଜ ପିଲ୍ଲେ, ପୂର୍ବତନ ଟେବୁଲ ଟେନିସ ଖେଳାଳି କମଲେଶ ମେହେଟ୍ଟା, ପୂର୍ବତନ ବକ୍ସର ଅଖିଲ କୁମାର, ମହିଳା ସୁଟର ତଥା ବର୍ତ୍ତମାନର ଜାତୀୟ କୋଚ୍ ଶୁମା ଶିରୁର, ପୂର୍ବତନ କ୍ରିକେଟର ଅଞ୍ଜୁମ ଚୋପ୍ରା, ବ୍ୟାଡମିଣ୍ଟନ ଖେଳାଳି ତୃପ୍ତି ମୁର୍ଗୁଣ୍ଡେ ଏବଂ ପାୱାରଲିଫ୍ଟର ଫରମାନ ପାଶା ମଧ୍ୟ ଏହି କମିଟିର ସଦସ୍ୟ ଥିଲେ ।