ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ସୃଷ୍ଟି କରିବାକୁ ନବନିଯୁକ୍ତ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ | News Room Odisha

ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ସୃଷ୍ଟି କରିବାକୁ ନବନିଯୁକ୍ତ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବ । ସରକାରୀ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନ ସୁନିଶ୍ଚିତ କରିବା ପାଇଁ ଆଜି ୪ ହଜାର ୧୬୬ ଜଣ ମାଧ୍ୟମିକ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ନିଯୁକ୍ତି ପର୍ବରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବ ନିଯୁକ୍ତ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ବିଂଶ ଶତାବ୍ଦୀରେ ଏକ ‘ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା’ ଗଠନରେ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ୫-ଟି ଉପକ୍ରମରେ ହାଇସ୍କୁଲ ରୂପାନ୍ତରଣ ଦ୍ୱାରା ସ୍କୁଲର ଭିତ୍ତିଭୂମି ଓ ସାମଗ୍ରିକ ବାତାବରଣରେ ବିରାଟ ପରିବର୍ତ୍ତନ ଆସିଛି। ଏହା ରାଜ୍ୟର ଶିକ୍ଷା ଦୃଶ୍ୟପଟ୍ଟରେ ରୂପାନ୍ତର ଆଣୁଛି। ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ସରକାର ପ୍ରବର୍ତ୍ତନ କରିଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ପର୍କରେ ବି ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ। ପିଲାମାନଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆମ ମହାନ ଦେଶ, ଜାତି ଓ ସଂସ୍କୃତି ପ୍ରତି ଭଲପାଇବା ଓ ଏଥିପାଇଁ ଗର୍ବ କରିବାକୁ ପ୍ରେରଣା ଦିଅନ୍ତୁ ବୋଲି ନବନିଯୁକ୍ତ ଶିକ୍ଷକମାନଙ୍କୁ ଦିଗ୍ ଦର୍ଶନ ଦେଇ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଗଣଶିକ୍ଷା ବିଭାଗର ସଚିବ ଅଶ୍ୱଥି ଏସ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।