ଟେଲିକମ୍ ବିଲ୍ ଲୋକସଭାରେ ପାସ୍, ଜରୁରୀକାଳୀନ ପରିସ୍ଥିତିରେ ଟେଲିକମ ନେଟଓ୍ବାର୍କକୁ ନିୟନ୍ତ୍ରଣକୁ ନେଇପାରିବେ ସରକାର | News Room Odisha

ଟେଲିକମ୍ ବିଲ୍ ଲୋକସଭାରେ ପାସ୍, ଜରୁରୀକାଳୀନ ପରିସ୍ଥିତିରେ ଟେଲିକମ ନେଟଓ୍ବାର୍କକୁ ନିୟନ୍ତ୍ରଣକୁ ନେଇପାରିବେ ସରକାର

ନୂଆଦିଲ୍ଲୀ: ୧୩୮ ବର୍ଷ ପୁରୁଣା ଟେଲିଗ୍ରାଫ୍ ଆଇନ ବଦଳରେ ଆଗତ ଟେଲିକମ୍ ବିଲ୍, ୨୦୨୩କୁ ବୁଧବାର ଲୋକସଭାର ମଞ୍ଜୁରି ମିଳିଛି । ଏହି ବିଲରେ ବ୍ୟବସ୍ଥା ଅନୁଯାୟୀ ଜରୁରୀକାଳିନ ପରିସ୍ଥିତିରେ ସରକାର କୌଣସି ଟେଲିକମ ନେଟଓ୍ବାର୍କକୁ ନିଜ ନିୟନ୍ତ୍ରଣକୁ ନେଇପାରିବେ । ଏହାଛଡ଼ା ଟେଲିକମ୍ ସେବା ସମ୍ବନ୍ଧୀୟ ଉପକରଣ ମଧ୍ୟ ଜବତ କରିପାରିବେ। ପ୍ରଶାସନିକ ମାଧ୍ୟମରେ ଉପଗ୍ରହ ଯୋଗାଯୋଗ କମ୍ପାନୀଗୁଡିକୁ ସ୍ପେକ୍ଟ୍ରମ୍ ଆବଣ୍ଟନ ପାଇଁ ମଧ୍ୟ ଏହି ବିଲରେ ପ୍ରସ୍ତାବ ଦିଆଯାଇଛି।

ବିଲ୍ ଉପରେ ଗୃହରେ ହୋଇଥିବା ଆଲୋଚନାର ଜବାବ ରଖି ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ବିଲ୍ ଟେଲିକମ୍ ଗ୍ରାହକଙ୍କୁ ସୁରକ୍ଷା ପ୍ରଦାନ କରିବ। ଆଉ କେହି ଜାଲିଆତି କରି ସିମ୍ ପାଇପାରିବେ ନାହିଁ। ମନ୍ତ୍ରୀଙ୍କ ଉତ୍ତର ପରେ ଟେଲିକମ୍ ବିଲ୍, ୨୦୨୩ ବାଚନିକ ଭୋଟ୍ ଦ୍ୱାରା ପାରିତ ହୋଇଥିଲା ।

ସେ କହିଛନ୍ତି ଯେ ଏହି ବିଲରେ ସ୍ପେକ୍ଟ୍ରମ୍ ସମ୍ବନ୍ଧୀୟ ବ୍ୟବସ୍ଥା ସାମିଲ କରାଯାଇଛି ଏବଂ ଅଭିଯୋଗର ସମାଧାନ ପାଇଁ ଏକ ଡିଜିଟାଲ୍ ବ୍ୟବସ୍ଥା ଯୋଡ଼ା ଯାଇଛି।

ଏହି ବିଲରେ ବ୍ୟବସ୍ଥା ଅନୁଯାୟୀ, ଯଦି କେହି ଜାତୀୟ ନିରାପତ୍ତା, ଅନ୍ୟ ଦେଶ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବିରୋଧରେ ତଥା ବେଆଇନ ଭାବେ ଟେଲି ଯୋଗାଯୋଗ ଉପକରଣ ବ୍ୟବହାର କରନ୍ତି ତେବେ ତାଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ୨ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।

ଏହି ବିଲ୍‌ରେ ପ୍ରସ୍ତାବ ଅନୁଯାୟୀ ଯଦି କେନ୍ଦ୍ର ସରକାର ଉପଯୁକ୍ତ ମନେ କରନ୍ତି, ତେବେ ଏପରି ବ୍ୟକ୍ତିଙ୍କ ଟେଲି ଯୋଗାଯୋଗ ସେବାକୁ ବାତିଲ କିମ୍ବା ବନ୍ଦ କରାଯିବ।

ଏହି ବିଲ୍‌ରେ କୁହାଯାଇଛି ଯେ ଯିଏ ଟେଲିକମ୍ ଯୋଗାଯୋଗ ଭିତ୍ତିଭୂମି ବ୍ୟତୀତ ଅନ୍ୟ ଟେଲିକମ୍ ନେଟୱାର୍କରେ କ୍ଷତି ଘଟାଏ, ସେ କ୍ଷତିପୂରଣ ବାବଦ ଅର୍ଥ ସହ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବ।