ଏଏସଓ ମେରିଟ ଲିଷ୍ଟକୁ କାଏମ ରଖିଲେ ହାଇକୋର୍ଟ, ରଦ୍ଦ ନେଇ ଜଣିକିଆ ଖଣ୍ଡପୀଠଙ୍କ ପୂର୍ବ ଆଦେଶ ଖାରଜ | News Room Odisha

ଏଏସଓ ମେରିଟ ଲିଷ୍ଟକୁ କାଏମ ରଖିଲେ ହାଇକୋର୍ଟ, ରଦ୍ଦ ନେଇ ଜଣିକିଆ ଖଣ୍ଡପୀଠଙ୍କ ପୂର୍ବ ଆଦେଶ ଖାରଜ

କଟକ – ଓଡ଼ିଶା ଲୋକସେବା ଆୟୋଗ- ଓପିଏସସିର ଆସିଷ୍ଟାଣ୍ଟ ସେକ୍ସନ ଅଫିସର – ଏଏସଓ ମେରିଟ ଲିଷ୍ଟକୁ ବଜାୟ ରଖିଛନ୍ତି ହାଇକୋର୍ଟ । କୌଣସି ଅନିୟମିତତା ହୋଇନାହିଁ ବୋଲି କହିବା ସହ ଏଏସଓ ମେରିଷ୍ଟ ଲିଷ୍ଟ ବଜାୟ ରଖିଛନ୍ତି ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ। ପୂର୍ବରୁ ଜଣିକିଆ ଖଣ୍ଡପୀଠଙ୍କ ଦ୍ବାରା ମେରିଟ୍ ଲିଷ୍ଟ ରଦ୍ଦ ଆଦେଶକୁ ଖାରଜ କରିଦେଇଛନ୍ତି ଦୁଇ ଜଣିଆ ଖଣ୍ଡପୀଠ। ମେରିଟ୍ ଲିଷ୍ଟରେ ୧୧୦୪ ପରୀକ୍ଷାର୍ଥୀ ସ୍ଥାନ ପାଇଛନ୍ତି । ଗତବର୍ଷ ନଭେମ୍ବର ୨୨ ତାରିଖରେ ଓପିଏସସି ପକ୍ଷରୁ ମେରିଟ ଲିଷ୍ଟ ପ୍ରକାଶ କରାଯାଇଥିଲା। ତେବେ ଏହା ବିରୋଧରେ ୫ ଜଣ ପରୀକ୍ଷାର୍ଥୀ ହାଇକୋର୍ଟରେ ଅପିଲ କରିଥିଲେ। ମେରିଟ ଲିଷ୍ଟ ପ୍ରସ୍ତୁତିରେ ସ୍ୱଚ୍ଛତା ଅବଲମ୍ବନ ହୋଇନାହିଁ ବୋଲି ସେମାନେ ଦର୍ଶାଇଥିଲେ । ଆବେଦନକାରୀଙ୍କ ନାମ ପ୍ରସ୍ତୁତ ହୋଇଥିବା ସର୍ଟଲିଷ୍ଟରେ ନଥିଲା । ଏ ବର୍ଷ ମେ’ ୧୯ ତାରିଖରେ ବିଚାରପତି ଜଷ୍ଟିସ ଏ.କେ ମହାପାତ୍ରଙ୍କ ଖଣ୍ଡପୀଠ ମେରିଟ ଲିଷ୍ଟ ରଦ୍ଦ କରିବା ପାଇଁ ଆଦେଶ ଦେଇଥିଲେ। ତେବେ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା କବିତା ଜେନା ଓ ସତ୍ୟବ୍ରତ ନାୟକ ନାମକ ଦୁଇ ପରୀକ୍ଷାର୍ଥୀ ପୃଥକ ପୃଥକ ଭାବେ ରିଟ ପିଟିସନ ଦାଖଲ କରିଥିଲେ। ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରି ଡିସେମ୍ବର ୧୨ରେ ରାୟ ସଂରକ୍ଷିତ ରଖିଥିଲେ ।