ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ନୂଆ ଫୌଜଦାରୀ ବିଲକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ ମୋହର ପରେ ଏହି ତିନି ବିଲ୍ ଆଇନରେ ପରିଣତ ହୋଇଛି । ବ୍ରିଟିଶ ଯୁଗର ଅପରାଧିକ ଆଇନର ସ୍ଥାନ ନେଇଛି ଏହି ତିନି ଆଇନ । ଏହି ତିନି ନୂଆ ବିଲ୍ ହେଉଛି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ବିଲ୍ ।
ଏହା ପୂର୍ବରୁ ଏହି ତିନି ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା। ଏହି ବିଲକୁ ଐତିହାସିକ ବୋଲି କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ନୂଆ ଫୌଜଦାରୀ ଆଇନ ସହ ନାଗରିକଙ୍କ ଅଧିକାରକୁ ପ୍ରାଥମିକତା ଦିଆଯିବ ଏବଂ ମହିଳା/ଶିଶୁଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ ବୋଲି ସେ କହିଥିଲେ।
ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଏହି ତିନି ବିଲ୍ ଆଇନରେ ପରିଣତ ହୋଇଛି। ଏଥିସହ ୧୮୬୦ରୁ ପ୍ରଚଳିତ ଆଇପିସି ବର୍ତ୍ତମାନ ଭାରତୀୟ ନ୍ୟାୟ ସଂହିତା ଭାବେ ଜଣାଯିବ। ସେହିପରି ୧୮୯୮ ମସିହାରେ ପ୍ରସ୍ତୁତ ସିଆରପିସି ଏବେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ୧୮୭୨ର ଇଣ୍ଡିଆନ ଏଭିଡେନ୍ସ ଆକ୍ଟକୁ ଭାରତୀୟ ସାକ୍ଷ୍ୟ ସଂହିତା ଭାବେ ନାମିତ କରାଯାଇଛି ।
କ’ଣ ବଦଳିଲା?
ଆଇପିସି: କେଉଁ ଧର୍ତ୍ତବ୍ଯ ଅପରାଧ ପାଇଁ କିପରି ଦଣ୍ଡ ବିଧାନ ହେବ ତାହା ଭାରତୀୟ ପିଙ୍ଗଳ କୋଡ୍ ବା ଆଇପିସିରେ ସ୍ଥିର ହୋଇଥିଲା | ଏବେ ଏହାକୁ ‘ଭାରତୀୟ ନ୍ୟାୟ ସଂହିତା’ କୁହାଯିବ | ଆଇପିସିରେ ୫୧୧ ଧାରା ଥିଲା। ‘ଭାରତୀୟ ନ୍ୟାୟ ସଂହିତା’ ରେ ୩୫୮ ଧାରା ରହିବ। ଏହାଛଡ଼ା ଏଥିରେ ୨୧ଟି ନୂଆ ଅପରାଧ ସାମିଲ କରାଯାଇଛି | ନୂଆ ଆଇନରେ ୪୧ଟି ଅପରାଧ ପାଇଁ ଜେଲଦଣ୍ଡ ବୃଦ୍ଧି କରାଯାଇଥିବା ବେଳେ ୮୨ ଅପରାଧରେ ଜରିମାନା ବଢ଼ାଇ ଦିଆଯାଇଛି | ଆଉ ୨୫ ଅପରାଧ ପାଇଁ ବାଧ୍ୟତାମୂଳକ ସର୍ବନିମ୍ନ ଦଣ୍ଡ ପ୍ରଣୟନ କରାଯାଇଛି | ୬ଟି ଅପରାଧ ପାଇଁ ଦଣ୍ଡ ସ୍ବରୂପ ସମାଜ ସେବା କରିବାକୁ ହେବ ୧୯ଟି ଧାରା ରଦ୍ଦ କରାଯାଇଛି |
ସିଆରପିସି: ବ୍ରିଟିଶ ଯୁଗର ସିଆରପିସି ଅଧୀନରେ ଗିରଫ, ତଦନ୍ତ ଏବଂ ପ୍ରବର୍ତ୍ତନ ପ୍ରକ୍ରିୟା ସମ୍ପର୍କରେ ଉଲ୍ଲେଖ ରହିଥିଲା | ସିଆରପିସିରେ ୪୮୪ ଧାରା ଥିଲା | ବର୍ତ୍ତମାନ ସିଆରପିସିର ସ୍ଥାନ ନେଇଛି ଭାରତୀୟ ନାଗରିକ ସୁରକ୍ଷା ସଂହିତା । ଏଥିରେ ୫୩୧ ଧାରା ରହିବ | ୧୭୭ ଧାରା ବଦଳିଥିବା ବେଳେ ୯ଟି ନୂଆ ଧାରା ଯୋଡା ଯାଇଛି ଏବଂ ୧୪ଟି ଧାରା ରଦ୍ଦ କରାଯାଇଛି।
ଇଣ୍ଡିଆନ ଏଭିଡେନ୍ସ ଆକ୍ଟ: ମାମଲାର ତଥ୍ୟକୁ କିପରି ପ୍ରମାଣିତ କରାଯିବ, ବୟାନ କିପରି ରେକର୍ଡ ହେବ ଆଦି ଇଣ୍ଡିଆନ ଏଭିଡେନ୍ସ ଆକ୍ଟରେ ଉଲ୍ଲିଖିତ ରହିଥିଲା । ଏହା ଏବେ ଭାରତୀୟ ସାକ୍ଷ୍ୟ ଆଇନ ଭାବେ ଜଣାଯିବ । ପୂର୍ବରୁ ଏଥିରେ ୧୬୭ଟି ଧାରା ଥିଲା | ତେବେ ନୂଆ ‘ଭାରତୀୟ ସାକ୍ଷ୍ୟ ଆଇନ’ରେ ୧୭୦ଟି ଧାରା ରହିବ | ୨୪ଟି ଧାରା ପରିବର୍ତ୍ତନ କରାଯାଇଛି | ଦୁଇଟି ନୂଆ ଧାରା ଯୋଡା ଯାଇଥିବା ବେଳେ ୬ଟି ଧାରା ଉଚ୍ଛେଦ ହୋଇଛି |