ଭୁବନେଶ୍ବର – ଶାସକ ବିଜୁ ଜନତା ଦଳ -ବିଜେଡିର ଆଜି ପ୍ରତିଷ୍ଠା ଦିବସ । ଓଡ଼ିଆ ସ୍ୱାଭିମାନ ବଜାୟ ରଖିବା ସହ ଏହାକୁ ଏକ ସମୃଦ୍ଧ ଓ ଶକ୍ତିଶାଳୀ ରାଜ୍ୟ ଭାବେ ଗଢି ତୋଳିବା ପାଇଁ କଳିଙ୍ଗ ବୀର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନୀତି , ଆଦର୍ଶ ଓ ଆଭିମୁଖ୍ୟକୁ ପାଥେୟ କରି ତାଙ୍କ ଅନ୍ତେ ଆଜକୁ ୨୬ ବର୍ଷ ତଳେ ଗଠନ ହୋଇଥିଲା ବିଜୁ ଜନତା ଦଳ -ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳ ନେତୃତ୍ୱରେ ମାତ୍ର ୨୬ ବର୍ଷ ତଳେ ଗଠନ ହୋଇଥିବା ବିଜେଡି ଆଜି ଏକ କେବଳ ରାଜନୈତିକ ଦଳ ନୁହେଁ, ବରଂ ଏକ ଜନ ଆନ୍ଦୋଳନରେ ପରିଣତ ହୋଇପାରିଛି । ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛି । ବାପା ବିଜୁ ପଟ୍ଟନାୟକଙ୍କ ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନର ସ୍ୱପ୍ନକୁ ସାକାର କରିବାରେ ଲାଗିଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କ ସେବା ଓ ବିକାଶ ହୋଇଛି ବିଜେଡିର ମୂଳମନ୍ତ୍ର। ସେଥିପାଇଁ ତ ଦୁଇ ଦଶକରୁ ଅଧିକ ସମୟ ଧରି ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପାତ୍ର ପାଲଟିଛି ବିଜେଡି ।
ସେବା ଓ ବିକାଶର ବାର୍ତ୍ତା ସହ ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ ।ଏହି ଅବସରରେ ସାଇକେଲ ରାଲି, ଗଣଦୌଡ଼, ସାଧାରଣ ସଭା ସହ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରିବାକୁ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିଷ୍ଠା ଦିବସ ଅବସରରେ ନବୀନ ଓଡ଼ିଶା ଗଢିବା ନେଇ ସଂକଳ୍ପ ନେବେ ବିଜେଡି କର୍ମୀ ଓ ନେତା ।
ଦୀର୍ଘ ୨୬ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଜନତାଙ୍କ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟ କରି ଆସୁଛି ବିଜେଡି । ଏକ ସ୍ୱତନ୍ତ୍ର ଆଞ୍ଚଳିକ ଦଳ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି । ଶସ୍ତା ରାଜନୀତିର ଉପରକୁ ଉଠି ରାଜ୍ୟର ସ୍ୱାର୍ଥ ରକ୍ଷା ସହ ସାମଗ୍ରିକ ବିକାଶକୁ ପ୍ରାଥମିକତା ଦେଇ ଆସିଛି ଦଳ ।
ସାମାଜିକ ଅଙ୍ଗୀକାରବଦ୍ଧତା ପାଇଁ ଅନ୍ୟ ସର୍ବଭାରତୀୟ ଦଳ ଓ ଆଞ୍ଚଳିକ ଦଳମାନଙ୍କ ଭିତରେ ସ୍ବତନ୍ତ୍ର ସ୍ଥାନ ପାଇଛି । ଯାହା ଦଳକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିଛି ।
ବିଜୁବାବୁଙ୍କ ଆଦର୍ଶରେ ଗଠନ ହୋଇଥିବା ବିଜେଡି ରାଜ୍ୟ ତଥା ରାଜ୍ୟବାସୀଙ୍କ ବିକାଶର ଆଭିମୁଖ୍ୟ ନେଇ କାମ କରୁଥିବାରୁ ବାରମ୍ବାର ଜନ ଆର୍ଶୀବାଦ ଲାଭ କରିଛି। ଆଗାମୀ ଦିନରେ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇଥିବା ବିକାଶଧାରାକୁ ବଜାୟ ରଖିବା ପାଇଁ ଏହା ଶକ୍ତି ଯୋଗାଇଛି। ନିର୍ବାଚନ ହେଉ କି ଉପନିର୍ବାଚନ, ସବୁଥିରେ ବିଜେଡିକୁ ମିଳିଛି ଅପୂର୍ବ ସଫଳତା ।
ଆଜି ବିଜେଡିର ପ୍ରତିଷ୍ଠା ସମାରୋହ ସମସ୍ତ ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ପୌରାଞ୍ଚଳରେ ପାଳନ କରାଯିବ। ଏହି ଦିବସରେ ଗଣଦୌଡ଼ ସହ ସାଇକେଲ ରାଲି ପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସକାଳ ୮ଟାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ଭୁବନେଶ୍ବର ବିମାନବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଯାଏଁ ବିଶାଳ ସାଇକେଲ ଶୋଭାଯାତ୍ରା କରାଯିବ। ସେହିପରି ଶଂଖ ଭବନ ସମେତ ବିଭିନ୍ନ ସ୍ଥାନରେ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଉଛି ।
ବିକାଶର ନିରନ୍ତର ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଦେଇଛନ୍ତି ନୂଆ ପରିଚୟ। ସବୁ କ୍ଷେତ୍ରରେ ବିକାଶର ରୂପାନ୍ତରଣ ପ୍ରକ୍ରିୟା ଦେଖୁଛି ଓଡିଶା ।