ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଦେବ ନିମନ୍ତ୍ରଣ ଆରମ୍ଭ, ଶ୍ରୀଲିଙ୍ଗରାଜଙ୍କୁ ପ୍ରଥମ ନିମନ୍ତ୍ରଣ ପତ୍ର | News Room Odisha

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଦେବ ନିମନ୍ତ୍ରଣ ଆରମ୍ଭ, ଶ୍ରୀଲିଙ୍ଗରାଜଙ୍କୁ ପ୍ରଥମ ନିମନ୍ତ୍ରଣ ପତ୍ର

ଭୁବନେଶ୍ୱର – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ ପାଇଁ ଦେବ ନିମନ୍ତ୍ରଣ ଯାତ୍ରା ଆଜି ମାର୍ଗଶୀର ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇଛି । ଆଜି ପ୍ରଥମ ନିମନ୍ତ୍ରଣ ପତ୍ର ଏକାମ୍ର କ୍ଷେତ୍ର ଅଧୀଶ୍ୱର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦିଆଯାଇଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୨୩ଟି ଗାଡିରେ ନିମନ୍ତ୍ରଣର ବାର୍ତ୍ତା ନେଇ ପ୍ରତିନିଧିମାନେ ଶ୍ରୀଲିଙ୍ଗରାଜଙ୍କ ପୀଠରେ ପହଞ୍ଚିଥିଲେ ।

ଆସନ୍ତାମାସ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଭବ୍ୟ ଲୋକାର୍ପଣ। ଲୋକାର୍ପଣ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚଳାଇଛି ଶ୍ରୀମନ୍ଦିର ପ୍ରଶାସନ। ଲୋକାର୍ପଣ କାର୍ଯ୍ୟକ୍ରମ ପାଇଁ ସାରାଦେଶର ପ୍ରମୁଖ ଦେବଦେବୀ ପୀଠ, ଚାରିଧାମ ର ପୀଠାଧୀଶ୍ୱର, ପ୍ରମୁଖ ଧର୍ମଗୁରୁ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯିବ । ଦେଶର ପ୍ରମୁଖ ଦେବପୀଠଗୁଡିକୁ ଲୋକାର୍ପଣ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପ୍ରକ୍ରିୟାର ଶୁଭାରମ୍ଭ କରାଯିବ । ଏଥିପାଇଁ ଗଠିତ ହୋଇଛି ୩୦ଟି ଟିମ୍ । ରାଜ୍ୟର ପ୍ରମୁଖ ଧାର୍ମିକ ପୀଠ ଓ ଜଗନ୍ନାଥ ମନ୍ଦିରଗୁଡିକୁ ନିମନ୍ତ୍ରଣ ପାଇଁ ୧୩ଟି ଟିମ୍ ଗଠିତ ହୋଇଛି। ପ୍ରତି ଟିମରେ ଜଣେ ଲେଖାଏଁ ନୋଡାଲ ଅଫିସର ଓ ତିନି ଜଣ ଲେଖାଏଁ ସେବାୟତ ଅଛନ୍ତି । ନିମନ୍ତ୍ରଣ ପତ୍ର ପ୍ରଥମେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କଠାରୁ ଅନୁକୂଳ ହୋଇଛି।