ବଲାଙ୍ଗୀରର ଦୁଇ ମନ୍ଦିରକୁ ଦିଆଗଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବର ନିମନ୍ତ୍ରଣ | News Room Odisha

ବଲାଙ୍ଗୀରର ଦୁଇ ମନ୍ଦିରକୁ ଦିଆଗଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବର ନିମନ୍ତ୍ରଣ

ବଲାଙ୍ଗିର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବର ନିମନ୍ତ୍ରଣ ନିମନ୍ତେ ଆଜି ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଭବ୍ୟ ଆୟୋଜନ ପୂର୍ବକ ପୁରୀରୁ ଆସିଥିବା ୪ ଜଣିଆ ସେବାୟତ ତଥା ଅଧିକାରୀଙ୍କୁ ସ୍ଵାଗତ କରାଯାଇଛି । ନିମନ୍ତ୍ରଣ ଦେବାକୁ ଆସିଥିବା ଦଳ ଜିଲ୍ଲା ପ୍ରଶାସନ ପାଖରେ ମନ୍ଦିର ଧର୍ମସ୍ଥଳୀର ମୁଖ୍ୟ ଙ୍କୁ ନିମନ୍ତ୍ରଣ ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିଥିଲେ ।

ଆଜି ପୂର୍ବାହ୍ନ ରେ ଜିଲ୍ଲା ପରିଷଦ ଠାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ ଙ୍କ ଅଧ୍ୟକ୍ଷତାରେ ଏହି ନିମନ୍ତ୍ରଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏକ ଆଧ୍ୟାତ୍ମିକ ବାତାବରଣରେ ଭଜନ କୀର୍ତ୍ତନ ସହ ସ୍ଥାନୀୟ ପଞ୍ଚାୟତ ସଂଶାଧନ କେନ୍ଦ୍ର ଠାରୁ ଏହି ଦଳକୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ସହ ସ୍ଵାଗତ କରା ଯାଇଥିଲା ।

ରାଜ୍ୟ ସରକାରଙ୍କ ମହତ୍ତ୍ଵକାଂକ୍ଷୀ ଯୋଜନା ଆଧାର ରେ ଶ୍ରୀମନ୍ଦିର ପରିକଳ୍ପନା ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୨୦୨୪ ମସିହା ଜାନୁୟାରୀ ୧୭ ତାରିଖ ଦିବା ୧୧ ଘଟିକାରେ ଏହି ପ୍ରକଳ୍ପ ର ଲୋକାର୍ପଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ପୁରୀ ଠାରେ ଅନୁଷ୍ଠିତ ହେବ । ଏହାର ଭବ୍ୟ ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି । ଦେଶ ବାହାର, ଦେଶ ଭିତର ଓ ରାଜ୍ୟ ଭିତରର ବିଭିନ୍ନ ପ୍ରମୁଖ ଧର୍ମସ୍ଥଳୀର ମୁଖ୍ୟ ମାନଙ୍କୁ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି । ଯଦିଓ ପ୍ରଥମ ପ୍ରତ୍ୟେକ ଜିଲ୍ଲାର ଦୁଇଟି ପ୍ରମୁଖ ଧର୍ମ ସ୍ଥଳୀର ୨ ଜଣ ଲେଖାଏଁ ମୁଖ୍ୟଙ୍କୁ ୧୭ ତାରିଖକୁ ଆମନ୍ତ୍ରଣ କରାଯାଉଛି, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ଧର୍ମସ୍ଥଳୀର ମୁଖ୍ୟ ମାନେ ଦର୍ଶନ ରେ ଆସି ପାରିବେ ।

ନିମନ୍ତ୍ରଣ ପାଇଁ ପୁରୀରୁ ୩ ଜଣ ଲେଖାଏଁ ସେବାୟତ ଓ ଜଣେ ଲେଖାଏଁ ସରକାରୀ ଅଧିକାରୀଙ୍କୁ ନେଇ ୧୩ ଟି ଦଳ ଗଠିତ ହୋଇଛି । ଯେଉଁ ମାନେ କି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାକୁ ଗସ୍ତ କରିବେ । ସେହି ଆଧାରରେ ବଲାଙ୍ଗୀର କୁ ଡେପୁଟି ଡାଇରେକ୍ଟର (ଯୋଜନା) ସୂର୍ଯ୍ୟ ନାରାୟଣ ତ୍ରିପାଠୀ ଏବଂ ସେବାୟତ ବିପିନି ପତ୍ରୀ , ଜଗା କୃଷ୍ଣ ମହାପାତ୍ର ଏବଂ ରାମ କୃଷ୍ଣ ଚନ୍ଦ୍ର ପ୍ରତିହାରୀଙ୍କ ଦଳ ଗସ୍ତ କରିଛି । ଏହି ଦଳ ବରଗଡ଼ ଏବଂ ନୂଆପଡ଼ା ମଧ୍ୟ ଯାତ୍ରା କରିବ ।

ଉକ୍ତ ଉତ୍ସବରେ ଅରମାସ ସିଇଓ କମଳେନ୍ଦୁ ପଲ , ଡିପିସି ମିସନ ଶକ୍ତି ସୁମନ ଦ୍ଵିବେଦୀ , ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।