ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ପାଇଁ ମାଁ ସମଲେଇଙ୍କୁ ନିମନ୍ତ୍ରଣ  | News Room Odisha

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ପାଇଁ ମାଁ ସମଲେଇଙ୍କୁ ନିମନ୍ତ୍ରଣ 

ସମ୍ବଲପୁର: ରାଜ୍ୟ ସରକାରଙ୍କ ମହତ୍ତ୍ଵକାଂକ୍ଷୀ ଯୋଜନା ଆଧାର ରେ ଶ୍ରୀମନ୍ଦିର ପରିକଳ୍ପନା ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୦୨୪ ମସିହା ଜାନୁୟାରୀ ୧୭ ତାରିଖରେ ଏହି ପ୍ରକଳ୍ପର ଲୋକାର୍ପଣ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ପୁରୀ ଠାରେ ଅନୁଷ୍ଠିତ ହେବ। ଏହାର ଭବ୍ୟ ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି। ଦେଶ ବାହାର, ଦେଶ ଭିତର ଓ ରାଜ୍ୟ ଭିତରର ବିଭିନ୍ନ ପ୍ରମୁଖ ଧର୍ମସ୍ଥଳୀର ମୁଖ୍ୟ ମାନଙ୍କୁ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି। ଯଦିଓ ପ୍ରତ୍ୟେକ ଜିଲ୍ଲାର ଦୁଇଟି ପ୍ରମୁଖ ଧର୍ମ ସ୍ଥଳୀର ୨ ଜଣ ଲେଖାଏଁ ମୁଖ୍ୟ ଙ୍କୁ ୧୭ ତାରିଖ କୁ ଆମନ୍ତ୍ରଣ କରାଯାଉଛି, କିନ୍ତୁ ପରବର୍ତ୍ତୀ ଦିନ ଠାରୁ ଅନ୍ୟ ଧର୍ମସ୍ଥଳୀର ମୁଖ୍ୟ ମାନେ ଦର୍ଶନରେ ଆସି ପାରିବେ। ନିମନ୍ତ୍ରଣ ପାଇଁ ପୁରୀରୁ ୩ ଜଣ ଲେଖାଏଁ ସେବାୟତ ଓ ଜଣେ ଲେଖାଏଁ ସରକାରୀ ଅଧିକାରୀଙ୍କୁ ନେଇ ୧୩ ଟି ଦଳ ଗଠିତ ହୋଇଛି। ଯେଉଁ ମାନେ କି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାକୁ ଗସ୍ତ କରିବେ। ଜିଲ୍ଲା ସଦର ମହକୁମାରେ ସେମାନେ ଜିଲ୍ଲାପାଳ ବା ଜିଲ୍ଲାପାଳଙ୍କ ମନୋନୀତ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସମ୍ପୃକ୍ତ ପ୍ରମୁଖ ଦୁଇ ଧର୍ମସ୍ଥଳୀର ମୁଖ୍ୟଙ୍କୁ ନିମନ୍ତ୍ରଣ ପତ୍ର ଓ ଅନ୍ୟାନ୍ୟ ନିମନ୍ତ୍ରଣ ସାମଗ୍ରୀ ପ୍ରଦାନ କରିବେ।

ସେହି ଆଧାରରେ ଆଜି ପୂର୍ବାହ୍ନ ୧୦.୩୦ରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ନିମନ୍ତ୍ରଣ ନିମନ୍ତେ ଆଜି ସମ୍ବଲପୁର ଜିଲ୍ଲାର ମା ସମଲେଶ୍ୱରୀ ମନ୍ଦିର ଠାରେ ଜିଲ୍ଲା ପ୍ରଶାସନ ତରଫ ରୁ ଭବ୍ୟ ଆୟୋଜନ ପୂର୍ବକ ପୁରୀରୁ ଆସିଥିବା ୪ ଜଣିଆ ସେବାୟତ ତଥା ଆଧିକାରୀଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଛି, ସମଲେଶ୍ୱରୀ ମନ୍ଦିର ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ରେଢ଼ାଖୋଲର ସେବାୟତଙ୍କୁ ଏହି ନିମନ୍ତ୍ରଣ ଦିଆଗଲା। ଏହି କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିଲା, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ବନଯାକନ୍ତା ମାହାରୀଙ୍କ ସହ ୩ ସେବାୟତ ଲକ୍ଷ୍ମୀ ନାରାୟଣ କର, ହରେକୃଷ୍ଣ କର ଏବଂ ହରିହର କର ସମଲେଶ୍ୱରୀ ମନ୍ଦିରକୁ ଗସ୍ତ କରିଥିଲେ। ଏହି ଦଳ ସୁନ୍ଦରଗଡ଼ ଏବଂ ଝାରସୁଗୁଡା ମଧ୍ୟ ଯାତ୍ରା କରିବ । ଉକ୍ତ ଉତ୍ସବରେ ସିଡ଼ିଓ- କମ- ଇଓ ଧର୍ମେନ୍ଦ୍ର ମଲ୍ଲିକ, ଓର୍ମାସ ସିଇଓ ହୋତା , ଡ଼ି.ପି.ଏମ ଓ.ଏଲ.ଏମ ପୁଷ୍ପଶ୍ରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।